୫ନଂ ୱାର୍ଡର ଜଳ ନିଷ୍କାସନ ସମସ୍ୟା ଦୂର ହେବ କେବେ! – Fast News Network

Odisha Hot News
3 Min Read

ଭଦ୍ରକ: ଭଦ୍ରକ ପୌରାଞ୍ଚଳ ଅଧୀନସ୍ଥ ୫ନଂ ୱାର୍ଡବାସୀ ଦୀର୍ଘଦିନ ହେବ ଅସରାଏ ବର୍ଷା ଓ ଜଳ ନିଷ୍କାସନ ସମସ୍ୟାରେ ପ୍ରପୀଡିତ ହୋଇ ହନ୍ତସନ୍ତ ହୋଇଆସୁଛନ୍ତି । ଏ ଦିଗରେ ବହୁବାର ଆପତ୍ତି ଅଭିଯୋଗ ପରେ ମଧ୍ୟ ପ୍ରଶାସନ କିମ୍ବା ପୌର କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ । ତେବେ ଜାତୀୟ ରାଜପଥ ନିର୍ମାଣ ଦାୟିତ୍ୱରେ ଥିବା ଡିବିଏଲ୍ କଂପାନୀ ରାଜପଥର ମୁଖ୍ୟ ରାସ୍ତା ସହ ଦୁଇ ପାଶ୍ୱର୍ର ଲୋକାଲ ରୁଟ୍ ଗୁଡିକର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଏଣୁ ଚରମ୍ପାସ୍ଥିତ ୫ନଂ ୱାର୍ଡ ମଧ୍ୟରେ ଯାଉଥିବା ଲକ୍ଷ୍ମୀନାରାୟଣ ମନ୍ଦିର ପାଶ୍ୱର୍ ଲୋକାଲ ରୁଟ୍‌ରେ ସରକାରୀ ଜମିରେ ଦୀର୍ଘବର୍ଷ ହେବ ନିର୍ମାଣ ହୋଇଥିବା ବହୁ ଜବରଦଖଲ କୋଠାବାଡିକୁ କଂପାନୀ କର୍ତ୍ତୃପକ୍ଷ ପ୍ରଶାସନ ସହାୟତାରେ ଏବେ ଉଚ୍ଛେଦ ଆରମ୍ଭ କରିଛି । ମାତ୍ର ଗତକାଲିର କେଇଘଣ୍ଟାର ବର୍ଷାରେ ଏହି ୱାର୍ଡଟିରେ ରହୁଥିବା ପ୍ରାୟ ୫ ଶହ ପରିବାର ଜଳ ନିଷ୍କାସନ ସମସ୍ୟା ଯୋଗୁଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ବିଶେଷକରି ରାସ୍ତା ପାଶ୍ୱର୍ରେ ସରକାରୀ ଜମିକୁ ଜବରଦଖଲ କରି ଏହି ୱାର୍ଡର ମୁଖ୍ୟ ଜଳ ନିଷ୍କାସନ ପଥରେ ବିଶାଳ କୋଠା ନିର୍ମାଣ କରିଥିବା ନିତ୍ୟାନନ୍ଦ ନାୟକଙ୍କ ଘରଟି ଉଚ୍ଛେଦ କରାଯିବା ଜନିତ ସମସ୍ତ ଭଙ୍ଗାଇଟା ଗୁଡିକ ଡ୍ରେନ୍ ମଧ୍ୟରେ ପୋତିହେବା ଫଳରେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସିତ ହୋଇନପାରି ବିଷମ ସମସ୍ୟା ସୃଷ୍ଟି କରିଛି ।
ଫଳରେ ବର୍ଷାଜଳ ଲକ୍ଷ୍ମୀନାରାୟଣ ମନ୍ଦିର ସହ ୫ ଶହ ପରିବାରକୁ ବିପନ୍ନ କରିଛି । ଯାହା ଜଣାଯାଏ ବର୍ତ୍ତମାନର ଜିଲାପାଳ ତ୍ରିଲୋଚନ ମାଝୀ ନୂତନ ଭାବେ ଯୋଗଦେବା ସମୟରେ ଗତବର୍ଷ ସେପ୍ଟେମ୍ବର ୯ ତାରିଖରେ ଲୋକଙ୍କ ଅଭିଯୋଗ ପାଇ ବିଭିନ୍ନ ମୌଳିକ ସମସ୍ୟା ଭିତରେ ହନ୍ତସନ୍ତ ହେଉଥିବା ପୌରବାସୀଙ୍କ ଦୁଃଖ ବୁଝିବା ଦିଗରେ ବିଶେଷକରି ୫ ନଂ ୱାର୍ଡର ଡ୍ରେନେଜ୍ ବ୍ୟବସ୍ଥାର ପରିଦର୍ଶନ କରିଥିଲେ । ଏହି ଅଂଚଳରେ କୌଣସି ଜଳ ନିଷ୍କାସନର ସୁବ୍ୟବସ୍ଥା ନଥିବାରୁ ବର୍ଷାଦିନେ ଜଳ ନିଷ୍କାସନ ହୋଇନପାରି ରାସ୍ତାରେ ପାଣି ଜମି ରହିବା ସହ ଲୋକଙ୍କ ଘରେ ବର୍ଷାଜଳ ପ୍ରବେଶ କରୁଥିବାର ସେ ଉପଲବ୍ôଧ କରିଥିଲେ । ପାଣି ଭିତରେ ଜିଲାପାଳ ନିଜେ ଚାଲି ଚାଲି ସ୍ଥାନୀୟ ଅଂଚଳବାସୀଙ୍କ ଅଭିଯୋଗକୁ ଧ୍ୟାନର ସହ ଶୁଣିଥିଲେ । ଏବଂ ତୁରନ୍ତ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଏପର୍ଯ୍ୟନ୍ତ ଯେଉଁ ତିମିରେକୁ ସେହି ତିମିରେ ରହିଛି । ତେବେ ଏହି ୱାର୍ଡର ଏଭଳି ଜଳ ନିଷ୍କାସନ ଜନିତ ଉତ୍କଟ ପରିସ୍ଥିତିକୁ ହୃଦୟଙ୍ଗମ କରି ସ୍ଥାନୀୟ କାଉନ୍‌ସିଲର ଦିଲ୍ଲୀପ ନାୟକ, ବିଶିଷ୍ଟ ସମାଜସେବୀ ଶିଶିର ମିଶ୍ର ପ୍ରମୁଖ ବିଧାୟକ ସଂଜୀବ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଜି ସନ୍ଧ୍ୟାରେ ପୌରପାଳିକାରୁ ଜେସିବି ମଗାଯାଇ ନିତ୍ୟାନନ୍ଦଙ୍କ କୋଠା ସମେତ ଡାହାଣ ପାଶ୍ୱର୍ରେ ଥିବା ଜଳ ନିଷ୍କାସନ ଅବରୋଧ ପଥକୁ ସଫା କରାଯାଇଛି । ଫଳରେ ଦୀର୍ଘଘଣ୍ଟା ଧରି ଲୋକଙ୍କ ଘରେ ପଶିଥିବା ବର୍ଷାପାଣି ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଏଭଳି ଏକ ଦୀର୍ଘବର୍ଷର ସମସ୍ୟାର ସମାଧାନ ଦିଗରେ ସ୍ଥାୟୀ ପ୍ରତିକାର ନିମିତ୍ତ ସମସ୍ତ ଜବରଦଖଲ ଉଚ୍ଛେଦ କରି ଡ୍ରେନେଜ୍ ନିର୍ମାଣ ପାଇଁ କାଉନ୍‌ସିଲର ଶ୍ରୀ ନାୟକ ଜିଲା ପ୍ରଶାସନ ଓ ବିଧାୟକଙ୍କ ନିକଟରେ ଦାବି କରିଛନ୍ତି ।

Share This Article