ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି, ବିଭିନ୍ନ ବିଭାଗକୁ ସତର୍କ କରାଯାଇଛି: ଏସ୍‌ଆରସି

Odisha Hot News
3 Min Read

ଭୁବନେଶ୍ବର: ଦକ୍ଷିଣ ଅଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ମେ’ ୭ ତାରିଖରେ ଅବପାତର ରୂପ ନେଇପାରେ। ବାତ୍ୟା ହେବ କି ନାହିଁ ସେ ନେଇ ଆସନ୍ତାକାଲି ସନ୍ଧ୍ୟାରେ ଭାରତୀୟ ପାଣିପାଗ ବିଭାଗ ପାଖରୁ ଅଧିକ ତଥ୍ୟ ଆସିବ। ତା ପରେ ସ୍ପଷ୍ଟ ହୋଇଯିବ। ୧୦ ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟା ୨୦୦ ରୁ ୩୦୦ କିମି ଦୂରରେ ରହିବାର ସମ୍ଭାବନା। ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ସେ କହିଛନ୍ତି ଯେ, ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଜଣାପଡ଼ି ନାହିଁ। କାଲି ସନ୍ଧ୍ୟା ସୁଦ୍ଧା ପାଣିପାଗ ବିଭାଗ ଏହାରି ଉପରେ ଆକଳନ କରିପାରେ।
ଶ୍ରୀ ଜେନା କହିଛନ୍ତି ଯେ, ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଗଂଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଲଘୁଚାପ ଅବପାତର ରୂପ ନେବା ପରେ ପବନର ସଠିକ ବେଗ ଆକଳନ କରାଯାଇପାରିବ। ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରେ ଯେତେଦେୂରରେ ଥିଲେ ବି, ମେ’ ୮ ତାରିଖ ସକାଳ ପର୍ଯ୍ୟନ୍ତ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ଓଡ଼ିଶା ସରକାର ତଟରକ୍ଷୀ ବାହିନୀ ଓ ନୌସେନାକୁ ଚିଠି ଲେଖି ମତ୍ସ୍ୟଜୀବୀଙ୍କ ଉପରେ ନଜର ରଖିବାକୁ କହିଛନ୍ତି। ସମ୍ଭାବ୍ୟ ବାତ୍ୟା ନେଇ କୃଷି ବିଭାଗକୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି। ଚାଷୀମାନେ ଫସଲର ରକ୍ଷଣାବେକ୍ଷଣ କେମିତି କରିବେ, ସେନେଇ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ପରାମର୍ଶ ଦେବେ।
ସେହିପରି ଜିଲ୍ଳାପାଳମାନଙ୍କୁ ଆମେ ଅବଗତ କରିଛୁ ଯେ, ବାତ୍ୟା ପାଇଁ ଆଶ୍ରୟସ୍ଥଳୀ ଗୁଡ଼ିକରେ କିଭଳି ଭାବରେ ପ୍ରସ୍ତୁତି ଚାଲିଛି, ତା ଉପରେ ନଜର ରଖନ୍ତୁ। ଯେଉଁ ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହେବ ସେଠାରେ ସେମାନେ ସଜାଗ ରହିବେ। ଶୁଖିଲା ଖାଦ୍ୟ ପାଇଁ ଜିଲ୍ଲାପାଳମାନେ ନିଜ ଅଞ୍ଚଳରେ ସ୍ଥିତି ତଦାରଖ କରିବାକୁ କୁହାଯାଇଛି। କେତେ ଆବଶ୍ୟକ ଆଉ କିପରି ଅଭାବ ହେବନି ସେଥିପାଇଁ ସେମାନେ ବ୍ୟବସ୍ଥା କରିବେ। ଯେ କୌଣସି ପରିସ୍ଥିତି ଉପୁଜୁ, ସବୁ ସ୍ଥିତିକୁ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ଟେଲିକମ୍‌ କଂପାନିମାନଙ୍କର ସହିତ ଆଲୋଚନା କରାଯାଇଛି। ବାତ୍ୟା ଆସିଲେ ମୋବାଇଲ୍‌ ‌ନେଟୱାର୍କ ସେବା ପ୍ରଭାବିତ ହୋଇପାରେ। ତେଣୁ ଏହି ସମୟରେ କେମିତି ନେଟୱାର୍କ ପରିଚାଳନା କରାଯିବ ସେନେଇ କଂପାନିର ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇଛୁ। ପୂର୍ତ୍ତ ବିଭାଗ ଓ ବନ ବିଭାଗକୁ ସହାୟତା ମଗାଯାଇଛି।
ପୂର୍ବରୁ ଏସ୍‌ଆରସି ଶ୍ରୀ ଜେନା କହିଥିଲେ ଯେ, ୧୮ ଜିଲ୍ଲାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆମ ରାଜ୍ୟରେ ଏବେ ୧୭ଟି ଏନଡିଆରଏଫ ଟିମ, ୨୦ଟି ଓଡ୍ରାଫ୍ଟ ଟିମ ଓ ୧୭୫ ଫାୟାର ସର୍ଭିସ ଟିମ ଅଛି, ଯାହାକୁ ଦରକାର ପଡ଼ିଲେ ମୁତୟନ କରାଯିବ। ଶକ୍ତି ବିଭାଗ ପକ୍ଷରୁ ବିଦ୍ୟୁତ ବିତରକ କଂପାନିଗୁଡ଼ିକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି।ସମ୍ଭାବ୍ୟ ବାତ୍ୟା ନେଇ ଆତଙ୍କିତ ହେବା ଦରକାର ନାହିଁ। ବଜାରରୁ ଅଯଥାରେ ଅଧିକ ସାମଗ୍ରୀ କିଣନ୍ତୁ ନାହିଁ। ଯଦି ବାତ୍ୟା ହେବ, ଏହା ଗ୍ରୀଷ୍ମକାଳୀନ ବାତ୍ୟା ହେବ। ବାତ୍ୟା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଯିବ ନାହିଁ।
ଉଲ୍ଲେଖଯୋଗ୍ୟ, ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଓ କନ୍ଧମାଳର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ଜିଲ୍ଲାରେ ୨୪ ଘଣ୍ଟିଆ ଜରୁରୀ ଅପରେସନ୍ ଅଫିସ୍ ଓ କଣ୍ଟ୍ରୋଲ୍ ରୁମ୍ ଖୋଲା ରଖିବାକୁ କୁହାଯାଇଛି ଅସୁରକ୍ଷିତ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ବି ଏହି ଚିଠିରେ ନିର୍ଦ୍ଦେଶ ରହିଛି। ନିରାପଦ ସ୍କୁଲରେ ଲୋକଙ୍କୁ ରଖିବା ଲାଗି ପରାମର୍ଶ ଦିଆଯାଇଛି। ସମସ୍ତ ବାତ୍ୟା ଓ ବନ୍ୟା ଆଶୟସ୍ଥଳୀଗୁଡ଼ିକୁ ତନଖି କରିବା ଲାଗି ବିଡିଓ ଏବଂ ତହସିଲଦାରମାନଙ୍କୁ କୁହାଯାଇଛି।
Share on: WhatsApp

Share This Article