ଭଦ୍ରକ: ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ କହରାପୋଖରୀ ଶାସନ ଗ୍ରାମର ଗୋଚର ପଡିଆରୁ ବେଆଇନ ଭାବେ ଜେସିବି ସହାୟତାରେ ବ୍ୟାପକ ମାଟି ଉଠାଯିବା ବିରୋଧରେ ଅଭିଯୋଗ ହୋଇଛି । ଗ୍ରାମର ଖାତା ନଂ ୫୯୪ ଓ ପ୍ଲଟ ନଂ ୩୪୯ରେ ଥିବା ପଡିଆରୁ ନିରାକାର ବେହେରା, ନିରଞ୍ଜନ ବେହେରା, ବିରଞ୍ôଚ ବେହେରା, ହରିହର ପାତ୍ର ଓ ପର୍ଶୁରାମ ପାତ୍ର ମିଳିତ ଭାବେ ଜେସିବି ସହାୟତାରେ ପ୍ରାୟ ୨ ହଜାର ଟ୍ରିପ ମାଟି ଉଠାଇ ବିକ୍ରୟ କରି ମୁନାଫା ଉଠାଇଛନ୍ତି ବୋଲି ତହସିଲଦାରଙ୍କ ନିକଟରେ ଶୁକ୍ରବାର ଅଭିଯୋଗ ହୋଇଛି ।
ଏପରିକି ଏହି ପଡିଆରୁ ବହୁ ପରିମାଣର ଆକାଶୀ ଓ ଅନ୍ୟାନ୍ୟ ଗଛ ମଧ୍ୟ କଟାଯାଇଛି । ହାଡିବନ୍ଧୁ ବେହେରା, ନାରାୟଣ ପଣ୍ଡା, ସଞ୍ଜୟ କୁମାର ବେହେରା, ରବିନ୍ଦ୍ର ମୁଣ୍ଡା, ବିଶ୍ୱଜିତ ମୁଦୁଲି, ଛବିରାଣୀ ପଣ୍ଡା ପ୍ରମୁଖ ଶତାଧିକ ଅଭିଯୋଗକାରୀ ତହସିଲଦାରଙ୍କୁ ଅଭିଯୋଗ ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଆଗାମୀ ଦିନରେ ମନରେଗା ଯୋଜନାରେ ପିଛିଲା ଭାବେ ଅନ୍ତର୍ଭୁକ୍ତ କରି ମୋ ପୋଖରୀ ବିଲ ଉଠାଇବା ମସୁଧା କରାଯାଉଥିବା ନେଇ ସନ୍ଦେହ ପ୍ରକାଶ କରିଥିଲେ ଅଭିଯୋଗକାରୀମାନେ । ଏ ସମ୍ପର୍କରେ ଭଣ୍ଡାରିପୋଖରୀ ରାଜସ୍ୱ ନିରୀକ୍ଷକଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅତିରିକ୍ତ ତହସିଲଦାର ସତ୍ୟପ୍ରକାଶ ଧଳ ସୂଚନା ଦେଇଛନ୍ତି । ଏଥିନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।
ଗୋଚର ଜମିରୁ ଅବାଧ ଗଛକଟା ଓ ବେଆଇନ ମାଟି ଉଠାଣ ବିରୋଧରେ ଅଭିଯୋଗ

Comment