ମୋବାଇଲ୍ ଲାଇଟ୍‌ରେ ଚାଲିଛି ଚିକିତ୍ସା, ହନ୍ତଚନ୍ତ ରୋଗୀ – Fast News Network

Odisha Hot News
1 Min Read

ଭଦ୍ରକ: ସ୍ୱାସ୍ଥ୍ୟକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି । ହେଲେ ଏବେ ବି ଅନେକ ସ୍ଥାନର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଦେଖିବାକୁ ମିଳିଛି । ଏବେବି କରେଣ୍ଟ ଚାଲିଗଲେ ମୋବାଇଲ୍ ଲାଇଟ୍‌ରେ ଚିକିତ୍ସା କରିବାକୁ ସାହାରା ନେଉଛନ୍ତି ଡାକ୍ତର । ଏ କେଉଁ ଉପାନ୍ତ ଅଂଚଳର କଥା ନୁହେଁ, ଖୋଦ୍ ଭଦ୍ରକ ଜିଲାର ଚାନ୍ଦବାଲି ବିଜ୍ଞାପିତ ଅଂଚଳର ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଦ୍ୟୁତ୍ ନଥିବାରୁ ମେଡିକାଲ ସାରା ଅନ୍ଧାର ଆଉ ରୋଗୀଙ୍କ ସଂପର୍କୀୟଙ୍କ ମୋବାଇଲ୍ ହିଁ ଏକମାତ୍ର ଜୀବନ ବଂଚାଇବାକୁ ଡାକ୍ତରଙ୍କ ସାହାରା ପାଲଟିଛି । ମେଡିକାଲର ସବୁ ୱାର୍ଡରେ ଖାଲି ମାଳ ମାଳ ମୋବାଇଲ୍ । ମେଡିକାଲରେ ଗତକାଲି ସନ୍ଧ୍ୟା ୬ ଘଟିକାରୁ ବିଦ୍ୟୁତ୍ ଚାଲିଯାଇଥିଲା । ରାତି ୯ଟା ପର୍ଯ୍ୟନ୍ତ କିଛି ଆଲୋକ ବ୍ୟବସ୍ଥା ହୋଇପାରିନଥିଲା । ଫଳରେ ମୋବାଇଲ୍ ଲାଇଟ୍‌ରେ ହୋଇଥିଲା ପ୍ରସୂତିଙ୍କ ଚିକିତ୍ସା । ସେ ମହିଳା ହେଉ କି ପୁରୁଷ ୱାର୍ଡ ସବୁଥିରେ ୨୦ ରୁ ଉର୍ଦ୍ଧ୍ୱ ରୋଗୀ ଆଡମିଶନ ହୋଇଛନ୍ତି । କିନ୍ତୁ ସମସ୍ତଙ୍କୁ ଏମିତି ହିନସ୍ତା ହେବାକୁ ପଡୁଛି । ଗତକାଲି ୨ ଜଣ ଯୁବକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲକୁ ଆସିଲେ ହେଲେ ଡାକ୍ତର ତାଙ୍କୁ ମୋବାଇଲ୍ ଲାଇଟ୍‌ରେ ଚିକିତ୍ସା କରୁ କରୁ ତାଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲରେ ଇଣ୍ଟଭର୍ଟର ଓ ଏକ ବଡ ଡିଜି ଅଛି, ହେଲେ ସେ ଖରାପ । ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ରୋଗୀ ।

Share This Article