କଟକ: ମସଲା ପ୍ରସ୍ତୁତି ଓ ରପ୍ତାନୀ କ୍ଷେତ୍ରରେ ରାଜ୍ୟ ସମେତ ଦେଶବିଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଭାରତ ମସଲା ଏଣିକି ଉତ୍ପାଦ ଗୋଷ୍ଠୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ କୃଷି ଜାତ ସାମଗ୍ରୀ କ୍ରୟ କରିବ। ଏଥିନେଇ ଓରମାସ(ଓଡ଼ିଶା ରୁରାଲ ଡେଭଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି) ସହିତ ଏକ ବୁଝାମଣା ସ୍ୱାକ୍ଷର କରିଛି। ଏଥିନେଇ ଭୁବନେଶ୍ୱରରେ ଓରମାସର ୨ଦିନିଆ ଶିବିରର ପ୍ରଥମ ଦିନରେ ଭାରତ ମସଲାର ପରିଚାଳନା ନିର୍ଦେଶକ ସୁଶାନ୍ତକୁମାର ପଣ୍ଡା ଏବଂ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସକୁମାରଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ବୁଝାମଣା ଅନୁଯାୟୀ ଏଣିକି ଭାରତ ମସଲା କର୍ତ୍ତୃପକ୍ଷ ସିଧାସଳଖ ଚାଷୀ ଏବଂ ଚାଷ ସହିତ ସଂଶ୍ଳିଷ୍ଟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ବିଭିନ୍ନ ସାମଗ୍ରୀ କ୍ରୟ କରିବ। ଟମାଟୋ, ଲଙ୍କା, ଅଦା, ହଳଦୀ, ଶୁଖିଲା ଆମ୍ବ(ଆମ୍ବୁଲ), ମୁଗ, ସୋରିଷ ସମେତ ୧୧ଟି କୃଷି ଜାତ ସାମଗ୍ରୀ କ୍ରୟ କରିବ। ଏହିସବୁ ସାମଗ୍ରୀ ଏନସିଡିଇଏକ୍ସ କିମ୍ବା ଏମଏସପି ଦ୍ୱାରା ସ୍ଥିରିକୃତ ମୂଲ୍ୟରେ କମ୍ପାନୀ ଚାଷୀଙ୍କଠାରୁ କିଣିବ।
ସିଧାସଳଖ ଚାଷୀଙ୍କଠାରୁ କମ୍ପାନୀ ବିଭିନ୍ନ କଞ୍ଚାମାଲ କ୍ରୟ କରିବା ଦ୍ୱାରା ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଅଧିକ ଲାଭବାନ ହୋଇପାରିବେ ବୋଲି କମ୍ପାନୀର ପରିଚାଳନା ନିର୍ଦେଶକ ଶ୍ରୀ ପଣ୍ଡା କହିଛନ୍ତି। ପୂର୍ବରୁ ଭାରତ ମସଲାର ମୁଖ୍ୟ ସୁରେନ୍ଦ୍ରନାଥ ପଣ୍ଡା କଟକ ଜିଲାର ବିଭିନ୍ନ ବ୍ଲକ ପରିଦର୍ଶନ କରି ଚାଷୀଙ୍କ ବିଭିନ୍ନ ଉତ୍ପାଦ ଅନୁଧ୍ୟାନ କରିଥିଲେ। ଓରମାସର ଯୁଗ୍ମ ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ବିପିନବିହାରୀ ରାଉତ ଶ୍ରୀ ପଣ୍ଡାଙ୍କୁ କଟକ ଜିଲାର ବିଭିନ୍ନ ବ୍ଲକରେ ହେଉଥିବା ବିଭିନ୍ନ କୃଷିଜାତ ଚାଷ କ୍ଷେତ ବୁଲାଇ ଦେଖାଇଥିଲେ। ସୂଚନାଯୋଗ୍ୟ, ଜୟ ଭାରତ ସ୍ପାଇସେସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ରାମଦାସପୁରସ୍ଥିତ କାରଖାନାରେ ବିଭିନ୍ନ ମସଲା ପ୍ରସ୍ତୁତ କରି ଦେଶବିଦେଶକୁ ରପ୍ତାନୀ କରି ଆସୁଛି। ମସଲା ସହିତ କମ୍ପାନୀ ଏହି ନୂଆ କାରଖାନାରେ ଟମାଟୋ କ୍ୟାଚଅପ, ସସ୍, ଆଚାର, ଚିପସ ପ୍ରସ୍ତୁତ କରି ଦେଶବିଦେଶକୁ ରପ୍ତାନୀ କରିବାର ଲକ୍ଷ୍ୟ ରଖିଛି। ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ସମୟରେ ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଅଶୋକକୁମାର ମୀନା, ପଞ୍ଚାୟତରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ଅଧିକାରୀ ଅରିନ୍ଦମ ଡାକୁଆ, କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ସଞ୍ଜୀବକୁମାର ଚଢା(ଆଇଏଫଏସ), ଓରମାସର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ବାଦଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଓରମାସ ସହିତ ଭାରତ ମସଲାର ବୁଝାମଣା ସ୍ୱାକ୍ଷରିତ – Fast News Network

Comment