ନମକଣାର ପିତାମ୍ବର ଯେନାଙ୍କୁ ହତ୍ୟା : ଅଭିଯୁକ୍ତକୁ ଧରିବାକୁ ପୁଲିସର ଚଢ଼ାଉ ଜାରି

Odisha Hot News
2 Min Read

ଭଦ୍ରକ: ଏହି ଜିଲାର ଭଣ୍ଡାରିପୋଖରୀ ଥାନା ବନ୍ଦାଳୋ-ମଢିଆଳି ପଞ୍ଚାୟତ ଅନ୍ତର୍ଗତ ନମକଣା ଗ୍ରାମର ପିତାମ୍ବର ଯେନାଙ୍କୁ ଗତକାଲି ସନ୍ଧ୍ୟାରେ ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି । ମୃତ ପିତାମ୍ବର ଅନ୍ୟଜଣେ ଗ୍ରାମବାସୀଙ୍କ ସହ ମଞ୍ଜୁରୀରୋଡ ବଜାରରୁ ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ନୁଆଗାଁ ମାଇନର କେନାଲ ରାସ୍ତାରେ ଘରକୁ ଫେରୁଥିଲେ । ଗନ୍ଧିଆପଦି ଗ୍ରାମ ଅତିକ୍ରମ କରି ‘ମିଆଁଚକ’ ନିକଟରେ ଯାଉଥିବା ବେଳେ ଅତର୍କିତ ଭାବେ କେତେକ ବ୍ୟକ୍ତି ମାରଣାସ୍ତ୍ର ସହାୟତାରେ ପିତାମ୍ବର ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । କୌଶଳ କ୍ରମେ ସାଥିରେ ଯାଉଥିବା ଅନ୍ୟବ୍ୟକ୍ତି ଦୌଡି ପଳାଇଯାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲା । ପରିବାର ଲୋକେ ଖୋଜାଖୋଜି କରି ରାତ୍ର ପ୍ରାୟ ୯.୩୦ମି. ରେ ଫାଣ୍ଡି ପୁଲିସ ସହାୟତାରେ ପିତାମ୍ବରକୁ କେନାଲ ବନ୍ଧତଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ପିତାମ୍ବରର ଗୋଡଗୋଚ୍ଛି କଟାଯାଇଥିବା ବେଳେ ଜଙ୍ଘ, ହାତ ଓ ମୁଣ୍ଡରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା । ପ୍ରାଥମିକ ଚିକିତ୍ସା ପରେ କଟକ ନିଆଯାଉଥିବା ବେଳେ ଜାରକା ନିକଟରେ ପିତାମ୍ବର ପ୍ରାଣ ହରାଇଥିବା ପରିବାର ସୂତ୍ରରୁ ପ୍ରକାଶ । କଟକରେ ଶବ ବ୍ୟବଚ୍ଛେଦ ପରେ ଆଜି ଗ୍ରାମକୁ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଥିବା ଜଣାଯାଇଛି ।
ରବିବାର ରାତ୍ରରେ ପିତାମ୍ବର ପୁତ୍ର ଗଣେଶ ଯେନାର ଅଭିଯୋଗ କ୍ରମେ ଥାନାରେ ୧୪୬/୨୨ନଂ ମାମଲା ତିନି ଭାଇ ଭରତ ଯେନା, ଶତ୍ରୁଘ୍ନ ଯେନା, ସଦାଶିବ ଯେନା ଓ ପିତା ଶ୍ରୀଧର ଯେନା ନାମରେ ଋଜୁ ହୋଇଥିଲା । ଅଭିଯୁକ୍ତମାନେ ପୂର୍ବଶତ୍ରୁତାରୁ ଆକ୍ରମଣ କରିବା ସହ ୩୦ ହଜାର ଟଙ୍କା ଛଡାଇ ନେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଆଜି ଏହି ମାମଲାକୁ ହତ୍ୟାମାମଲାରେ ପରିଣତ କରାଯାଇଛି । ପୁଲିସ ଘଟଣାସ୍ଥଳରୁ ଦୁଇଟି ରକ୍ତଲଗା ଠେଙ୍ଗା ଜବତ କରିଥିବା ଜଣାଯାଇଛି । ପୁଲିସ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିôବା ଜଣାଯାଇଛି । ଧାମନଗର ଉପଖଣ୍ଡ ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ପୁଲିସ ଛାନଭିନ ଜାରି ରଖବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଚଢାଉ ଜାରି ରଖିଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ୨୦୨୧ ମସିହା ଡିସେମ୍ବର ମାସରେ ଗ୍ରାମର କିର୍ତ୍ତନମଣ୍ଡପ ନିର୍ମାଣକୁ ନେଇ ପିତାମ୍ବର ଯେନା ପରିବାର ଓ ଭରତ ଯେନା ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । ଭରତ ଯେନା ଉପରେ ଆକ୍ରମଣ ହୋଇ ଗୋଡ ଭାଙ୍ଗିଯାଇଥିଲା । ଏଥିନେଇ ଉଭୟ ପରିବାରର ମୋଟ ୧୨ ଜଣଙ୍କ ନାମରେ ଦୁଇଟି ପୃଥକ ପୃଥକ ମାମଲା ଋଜୁ ହୋଇଥିଲା । ଅନ୍ୟପକ୍ଷରେ ଭରତ ଯେନା ଦେଶୀ ମଦ ବିକ୍ରୟ କରୁଥିବା ନେଇ ପିତାମ୍ବର ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲା ବୋଲି ସନ୍ଦେହ କରି ଭରତ ଆକ୍ରୋଶ ରଖିଥିବା ନେଇ ପିତାମ୍ବରଙ୍କ ପୁତ୍ର ପ୍ରକାଶ କରିଛନ୍ତି ।
Share on: WhatsApp

Share This Article