ଭଦ୍ରକ: ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ବୈଠକ ଜରିଆରେ ଗତ କାଲି ତା ୧୮-୦୪-୨୦୨୨ରିଖ ସୋମବାର ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ପାଇଁ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଖାରି ପାଣିରେ ମାଛ ଚାଷ ସମ୍ବନ୍ଧୀୟ ଲିଜ୍ ଉପରେ ଗୁରୁତା୍ୱରୋପ କରାଯିବା ସହିତ ତହସିଲଦାରମାନଙ୍କ ନିକଟରେ ଜିଲ୍ଲା କମିଟି ଦ୍ୱାରା ଅନୁମୋଦିତ କିନ୍ତୁ କାର୍ଯ୍ୟକାରୀ ହୋଇନଥିବା ଲିଜ୍ ସବୁକୁ ଅଗ୍ରାଧିକାର ଭିତ୍ତିରେ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ୭ ଦିନ ମଧ୍ୟରେ ସମସ୍ତ ଦାଖଲ ଖାରଜ ମାମଲା ସମ୍ପୂର୍ଣ୍ଣ କରି ଜନସାଧାରଣଙ୍କୁ ପଟ୍ଟା ବାଣ୍ଟିବାକୁ ବାସୁଦେବପୁର ଓ ଚାନ୍ଦବାଲି ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଗଲା । ସେହିପରି ଜୁନ୍ ୩୦ ମଧ୍ୟରେ ବନ୍ଦୋବସ୍ତ କେଶ୍ର ଫଇସଲା କରିବାକୁ ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଗଲା । ଭଦ୍ରକ ଜିଲ୍ଲାରେ ୩୦ ଲଘୁ ଖଣିଜ ଉତ୍ସରୁ ମାତ୍ର ୧୬ ଲଘୁ ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇଛି । ଅବଶିଷ୍ଟ ଲଘୁ ଖଣିଜ ଉତ୍ସକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କୁହାଯାଇଥିଲା । ଯଦି ସମସ୍ତ ଉତ୍ସ କାର୍ଯ୍ୟକ୍ଷମ ହୋଇଥିବ କିମ୍ବା ଉତ୍ସରୁ ସମସ୍ତ ସମ୍ପଦ ସମାପ୍ତ ହୋଇଥିବ ତାକୁ ଆଇନ୍ ଅନୁଯାୟୀ ବନ୍ଦ କରିବାକୁ ମଧ୍ୟ କୁହାଯାଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭଣ୍ଡାରିପୋଖରୀ ଓ ଧାମନଗର ତହସିଲଦାରଙ୍କୁ ସେମାନଙ୍କ ତହସିଲର ଅଧିକ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ । ସେହିପରି ବନ୍ତ ତହସିଲଦାରଙ୍କୁ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଏବଂ ବେଆଇନ୍ ଲଘୁ ଖଣିଜ ସମ୍ପଦ ଉଠାଣ ଉପରେ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଗଲା । ସମସ୍ତ କ୍ଷେତ୍ରାଧିକାରୀଙ୍କୁ ଲଘୁ ଖଣିଜ ସଂପଦରୁ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ ଦିଆଗଲା ।
ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତହସିଲଦାରମାନଙ୍କୁ ଲଘୁ ଖଣିଜ ଚୋରା ଚାଲାଣ ସମୟରେ ଚଢ଼ାଉ ବେଳେ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଗଲା । ତହସିଲଦାରମାନଙ୍କୁ ପୋଲିସ ସହ ଭଲ ସମନ୍ୱୟ ରକ୍ଷା କରି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ କୌଣସି ସରକାରୀ ପ୍ରକଳ୍ପ ଯଥା ରେଳବାଇ, ଜାତୀୟ ରାଜପଥ ଓ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ନକରିବାକୁ ସମସ୍ତ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମଧ୍ୟରେ କାର୍ଯ୍ୟକ୍ଷମ ଭଦ୍ରକ ନିରଗୁଣ୍ଡି ତୃତୀୟ ଲାଇନ୍ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଜାତୀୟ ରାଜପଥ ୧୬ ରେ ଗୋପାଳପୁର, ଧାମରା ଓ ସୁବର୍ଣ୍ଣରେଖା ବନ୍ଦରର ସଂଯୋଗୀକରଣ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବହୁ ଦିନରୁ ରହିଥିବା ଗମେଇ ସଂସ୍କାର ପ୍ରକଳ୍ପ ଓ ରେବୋ-କପାଳୀ ଜଳ ନିଷ୍କାସନ ଚାନେଲ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା । ସମସ୍ତ ସରକାରୀ ପ୍ରକଳ୍ପର ଜମି ଅଧିଗ୍ରହଣ କରି ଦାଖଲ ଖାରଜମାମଲାରେ ପଟ୍ଟା ସଂଶୋଧନ କରି ଜମି ହସ୍ତାନ୍ତରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ସମସ୍ତ ୫-ଟି ଉଚ୍ଚ ବିଦ୍ୟାଳୟକୁ ଏପ୍ରିଲ ୩୦ ତାରିଖ ସୁଦ୍ଧା ସଂଶୋଧିତ ଜମି ପଟ୍ଟା ଦେବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏତଦ୍ବ୍ୟତୀତ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ଏପ୍ରିଲ ୩୦ ସୁଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ତତ୍ୱାବଧାନରେ ଜମି ପଟ୍ଟା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ନୂତନ ରାଜସ୍ୱ ନିରୀକ୍ଷକମାନଙ୍କ ପାଇଁ ବାସଭବନ ତଥା କାର୍ଯ୍ୟାଳୟ ନିର୍ମାଣ ଦିଗରେ ଏପ୍ରିଲ ୧୫ ସୁଦ୍ଧା ଜାଗା ଚିହ୍ନଟ କରିବାକୁ ଅତିରିକ୍ତ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷା ଓ ସଂରକ୍ଷଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହିପରି ନିୟମିତ ସମୀକ୍ଷା ବୈଠକ କରାଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ସମସ୍ତ ଅଧିକାରୀମାନଙ୍କୁ ନିଜ ଓ ନିଜ ଅଧିନସ୍ଥ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏଠାରେ ସୂଚନାଯୋଗ୍ୟଯେ ଏହିପରି ଆଭାସୀ ରାଜସ୍ୱ ସମୀକ୍ଷା ବୈଠକ ନିୟମିତ ବ୍ୟବଧାନରେ ପରବର୍ତ୍ତିୀ ଜିଲ୍ଲା ସହ ଅନୁଷ୍ଠିତ ହେବ । ଏହି ବୈଠକରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇ.ଜି.ଆର. ଭୂଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ, ଏନ୍.ଆଇ.ସି.ର ବରିଷ୍ଠ ଅଧିକାରୀ, ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମିଗ୍ରହଣ ଅଧିକାରୀ, ତହସିଲଦାର ତଥା ଅନ୍ୟାନ୍ୟ କ୍ଷେତ୍ରଧିକାରୀମାନେ ଯୋଗ ଦେଇଥିଲେ ।
ଭଦ୍ରକ ଜିଲ୍ଲାପାଇଁ ରାଜସ୍ୱ ସମୀକ୍ଷା ବୈଠକ – Fast News Network

Comment