ଭଦ୍ରକ: ବର୍ତ୍ତମାନର ଅବକ୍ଷୟମୁଖୀ ପରିବେଶର ସନ୍ତୁଳନ ରକ୍ଷା ନିମନ୍ତେ ରାଜ୍ୟଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ବୃକ୍ଷରୋପଣ ଦିଗରେ ଗୁରୁତ୍ୱାରୋପ କରାଯାଇଆସୁଛି । ଏ ଦିଗରେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ ହେଉଛି । ମାତ୍ର ଭଦ୍ରକ ସହରକୁ ଦେଖିଲେ ଏହି ଯୋଜନାର ଅର୍ଥ ପାଣିରେ ପଡିଲା ଭଳି ଲାଗୁଛି । କାହିଁକି ନା ଗତ ୨୦୨୧ ଜୁଲାଇ ୨୮ ତାରିଖରେ ଭଦ୍ରକ ସହରକୁ ସବୁଜ ସୁନ୍ଦର କରି ଏକ ସ୍ମାର୍ଟସିଟିରେ ପରିଣତ କରିବା ନେଇ ବିଧାୟକ ସଂଜୀବ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ୧୩ନଂ ୱାର୍ଡର ପୂର୍ବତନ କାଉନ୍ସିଲର ପ୍ରଣୟ ଦାସ, ବର୍ତ୍ତମାନର ଜିଲା ପରିଷଦ ସଭ୍ୟ ମଳୟ ଜେନା ପ୍ରମୁଖଙ୍କ ଉପସ୍ଥିତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଅପର୍ତ୍ତିବିନ୍ଧା ପର୍ଯ୍ୟନ୍ତ ରାସ୍ତାମଝିରେ ଥିବା ଡିଭାଇଡର ମଧ୍ୟରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।
ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବନ୍ତଛକରୁ ଉପର ବାଗୁରାଇ ପର୍ଯ୍ୟନ୍ତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । କିନ୍ତୁ ପ୍ରଥମ ଅବସ୍ଥାରେ ଏହି ବୃକ୍ଷଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ପୌରପାଳିକା ପକ୍ଷରୁ ଜଳ ଛିଞ୍ଚନ କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ଗାଈଗୋରୁ ଖାଇଯିବା ଫଳରେ ସେଥିରେ ନେଟ୍ ଦିଆଯାଇଥିଲା । କିନ୍ତୁ କିଛିଦିନ ପରେ ଏହି ବୃକ୍ଷଗୁଡିକର ରକ୍ଷଣାବେକ୍ଷଣ କରାନଯିବାରୁ ତାହା ଚଳିତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବହାରେ ଜଳ ଅଭାବରୁ ମରିଯିବାକୁ ବସିଲାଣି । ଏ ଦିଗରେ ନା ଜିଲା ପ୍ରଶାସନ ନା ପୌର ପାଳିକା କାହାରି ଦୃଷ୍ଟି ପଡୁନାହିଁ । ବିଶେଷକରି ଜିଲାପାଳଙ୍କ ଠାରୁ ଆରମ୍ଭ କରି ପ୍ରଶାସନର ଉଚ୍ଚ ପଦାଧିକାରୀମାନେ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଯାତାୟତ କରୁଥିବାବେଳେ ସେଥିପ୍ରତି କେହି ବି ସାମାନ୍ୟତମ ଗୁରୁତ୍ୱ ଦେଉନାହାଁନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁଭ ଦିଆଯାଇଥିବା ଗଛ ଏବଂ ଡିଭାଇଡର ଗୁଡିକ ଭାଙ୍ଗିଯାଇଥିଲେ ମଧ୍ୟ ସେଥିପ୍ରତି କେହିବି ସାମାନ୍ୟତମ ଦୃଷ୍ଟି ଦେଉନାହାଁନ୍ତି । ଏଣୁ ଭଦ୍ରକ ସହରକୁ ସବୁଜ ସୁନ୍ଦର କରି ସ୍ମାର୍ଟସିଟି ଗଠନରେ ବିଧାୟକଙ୍କ ସ୍ୱପ୍ନ କେତେଦୂର ସଫଳ ହେବ, ତାହା ଜଳଜଳ ହୋଇ ଦିଶୁଛି । ଏଣୁ ଏ ଦିଗରେ ଜିଲା ଓ ପୌର ପ୍ରଶାସନ ତୁରନ୍ତ ଦୃଷ୍ଟିଦେବାକୁ ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟର ଆବାହକ ପ୍ରମୋଦ ରାୟ, ସମାଜସେବୀ ତଥା ସାଳନ୍ଦୀ ବିକାଶ ମଂଚର ଆବାହକ ପ୍ରତାପ ପାଢୀ, ଉର୍ତ୍ସଗ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ଅପୂର୍ବ ବେହେରା ଓ ଅଟଳ କୁମାର ବେହେରା ଦାବି କରିଛନ୍ତି ।
ଭଦ୍ରକ ସହରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରହସନରେ ପରିଣତ

Comment