ଭଦ୍ରକ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ କଣ୍ଟିଘାଇ ଠାରୁ ମଣିନାଥପୁର ପର୍ଯ୍ୟନ୍ତ ବୈତରଣୀ ନଦୀବନ୍ଧ ଉପରେ ଜଳସମ୍ପଦ ବିଭାଗ ପକ୍ଷରୁ ୨୫ଲକ୍ଷ ଟଙ୍କାର ମୋରମ ବିଛାଣ କାର୍ଯ୍ୟ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ଠିକାଦାର ସ୍ୱଳ୍ପ ପରିମାଣର ଧୂଳିଆ ମୋରମ ସହ ମାତ୍ରାଧିକ ବାଲି ମିଶ୍ରଣ କରି କୌଣସି ମତେ କାର୍ଯ୍ୟ କରି ବିଲ୍ ଉଠାଇବାକୁ ମସୁଧା କରୁଥିବା ମଣିନାଥପୁର ଗ୍ରାମର ସୁରଥ ଦାସ, ବରାହନୂଆପଡା ଗ୍ରାମର ପ୍ରଫୁଲ୍ଲ ନାୟକ ପ୍ରମୁଖ ଆଖୁଆପଦାସ୍ଥିତ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏପରିକି କାର୍ଯ୍ୟକୁ ଉପଯୁକ୍ତ ଭାବେ ତଦାରଖ କରାଯାଉ ନଥିବା ମଧ୍ୟ ଅଭିଯୋଗକାରୀ ଆରୋପ କରିଛନ୍ତି ।
ଏହି ଅଞ୍ଚଳ ସର୍ବଦା ଅବହେଳିତ ହୋଇ ରହିଥିବା ବେଳେ କାର୍ଯ୍ୟ ଉପଯୁକ୍ତ ଭାବେ କରାନଗଲେ ଅର୍ଥ କେବଳ ପାଣିରେ ପଡିବା ସାର ହେବ ବୋଲି କୁହାଯାଇଛି । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭାଗ ଠିକାଦାର ପ୍ରୀତି ଛାଡିବାକୁ ଅଭିଯୋଗକାରୀଙ୍କ ପକ୍ଷରୁ ଚେତାଇ ଦିଆଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ନଦୀବନ୍ଧର ବହୁ ଅଂଶ ବ୍ୟକ୍ତିଗତ ଜମିରେ ନିର୍ମାଣ କରାଯାଇଥିଲା । ଗତ ୨୦୧୯ ମସିହାରେ ସମ୍ପ୍ରସାରଣ କାର୍ଯ୍ୟକୁ ଏଥିପାଇଁ ବିରୋଧ କରି କ୍ଷତିପୂରଣ ଦାବି କରିଥିଲେ । ବିଭାଗୀୟ ଯନ୍ତ୍ରୀ ଏଥିନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଜନଅସନ୍ତୋଷ ଲାଗି ରହିଛି ।
ଜଳସମ୍ପଦ ବିଭାଗର ମୋରମ ବିଛାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

Comment