କାଁ ଭାଁ ଗଣ୍ଡଗୋଳରେ ଶେଷ ହେଲା ଭଦ୍ରକ ପୌର ନିର୍ବାଚନ – Fast News Network

Odisha Hot News
2 Min Read

ଭଦ୍ରକ: ଆଜି କାଁ ଭାଁ ଗଣ୍ଡଗୋଳ ମଧ୍ୟରେ ଶେଷ ହୋଇଛି ଭଦ୍ରକର ପୌର ନିର୍ବାଚନ । ଭଦ୍ରକ ପୌରପାଳିକା ଅନ୍ତର୍ଗତ ୩୦ ଗୋଟି ୱାର୍ଡରୁ କେବଳ ୪ ନଂ ୱାର୍ଡକୁ ଛାଡିଦେଲେ ଅନ୍ୟ ସବୁ ୱାର୍ଡରେ ଶେଷ ହୋଇଛି ନିର୍ବାଚନ । ଏବଂ ୪ନଂ ୱାର୍ଡରେ କେବଳ ଚେୟାରମେନ୍ ପାଇଁ ମତଦାନ ହୋଇଥିବାର ଜଣାପଡିଛି । ୧୬ନଂ ୱାର୍ଡର ସ୍ୱାଧୀନ ପ୍ରାର୍ଥି ଲାବୁ ପାଲଙ୍କ ଭାଇ ସୁବ୍ରତ ପାଲଙ୍କ ଉପରେ ଆକ୍ରମଣ ହୋଇଥିବାବେଳେ ୱାର୍ଡ ନଂ ୨୪ ରେ କଂଗ୍ରେସର ଯୁବନେତା ସୋଲେମାନ ଖାଁ ଏବଂ ଅନ୍ୟ ଦୁଇ କଂଗ୍ରେସ କର୍ମୀ ମଧ୍ୟ ଆକ୍ରମଣର ଶୀକାର ହୋଇଥିବାବେଳେ କଂଗ୍ରେସର କର୍ମୀମାନେ ମଧ୍ୟ ହଠାତ୍ ଚାରିଜଣ ବିଜେଡି କର୍ମୀମାନଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଏବଂ ୨ଟି ଇଭିଏମ୍ ମେସିନ୍ କଚାଡି ଭାଙ୍ଗି ଦେଇଛନ୍ତି । ଉଭୟପକ୍ଷ ଚିକିତ୍ସିତ ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଆସନ୍ତାକାଲି ୨୪ ନଂ ୱାର୍ଡରେ ସାନି ମତଦାନ ହେବ ବୋଲି ସୂଚନା ମିଳିଛି । ସେହିଭଳି ୨୫ନଂ ୱାର୍ଡରେ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ, ଗଣ୍ଡଗୋଳ ଓ ମାରପିଟ ହୋଇଥିଲା । ସେଠାରେ ପୁଲିସ୍ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିବାର ଜଣାପଡିଛି । ଅନୁରୂପ ୧୫ନଂ ୱାର୍ଡର କୁଆଁସ ସ୍କୁଲ ମତଦାନ କେନ୍ଦ୍ରରେ ସକାଳୁ ଇଭିଏମ୍ ମେସିନ୍ ବାରମ୍ବାର ଖରାପ ହେବାରୁ ସେଠାରେ ୨ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା ।
ଯାହାଫଳରେ ସେଠାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିବାବେଳେ ବହୁ ବରିଷ୍ଠ ନାଗରିକ ଦୀର୍ଘସମୟ ଧରି ଛିଡା ହୋଇ ଭୋଟ ଦେଇଥିବାବେଳେ କିଛି ମଧ୍ୟ ଫେରିଯାଇଥିଲେ । ୨୯ ନଂ ୱାର୍ଡରେ ଜୋର ଜବରଦସ୍ତ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ରେଗିଂ କରାଯାଇ ମନଇଚ୍ଛା ଭୋଟିଂ କରାଯାଇଥିବା ସ୍ୱାଧୀନ ପ୍ରାର୍ଥୀ ଅଭିଯୋଗ କରିଛନ୍ତି । ତେବେ ଅନ୍ୟ କିଛି ୱାର୍ଡର ଭୋଟ ଗ୍ରହଣ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ପାଲ କିମ୍ବା ଜରିର ବ୍ୟବସ୍ଥା ନଥିବାବେଳେ ଭୋଟରମାନେ ଖରାରେ ଛିଡା ହୋଇ ଭୋଟ୍ ଦେଇଥିଲେ । ବିଶେଷକରି ପୁରୁଣାବଜାର ଅଂଚଳର କିଛି ୱାର୍ଡରେ ଅପ୍ରିତିକର ପରିସ୍ଥିତି ଉପୁଜିଥିବାବେଳେ ପୁଲିସ୍ ତାହାକୁ ନିୟନ୍ତ୍ରଣ କରିନେଇଛି । ଭଦ୍ରକ ପୌରାଧ୍ୟକ୍ଷ ପଦ ପାଇଁ କଂଗ୍ରେସରୁ ଅମିତାବାଳା ଆଚାର୍ଯ୍ୟ, ବିଜେପିରୁ ଗୀତାଞ୍ଜଳି ପଢିହାରୀ, ବିଜେଡିରୁ ସମିତା ମିଶ୍ର ଓ ସ୍ୱାଧୀନ ଭାବେ ପୁରୁଣାବଜାର ଅଂଚଳର ଗୁଲମକୀ ହବିବି ଲଢୁଛନ୍ତି । ତେବେ ବିଜେଡିରୁ ସମିତା ମିଶ୍ର ଓ ସ୍ୱାଧୀନରୁ ଗୁଲମକୀଙ୍କ କଡା ଟକ୍କର ହେବ ବୋଲି ଏବେଠାରୁ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ୨୬ ରେ ଫଳ ପ୍ରକାଶ ପରେ ଜଣାପଡିବ କିଏ ଭଦ୍ରକ ପୌରାଧ୍ୟକ୍ଷର ମୁକୁଟ ପିନ୍ଧିବ । ତେବେ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ୍ ସବୁ ୱାର୍ଡରେ ମୁତୟନ କରାଯାଇଥିଲା ।

Share This Article