ଟିକେଟ କଳାବଜାରୀଙ୍କ କବଜାରେ ରେଲୱେ ରିଜର୍ଭେସନ କାଉଣ୍ଟର

Odisha Hot News
2 Min Read

ଭଦ୍ରକ: ଟିକେଟ କଳାବଜାରୀଙ୍କ କବ୍‌ଜାରେ ରେଳବାଇ ରିଜର୍ଭେସନ କାଉଣ୍ଟର । ଦୂରଦୂରାନ୍ତକୁ ଯିବା ପାଇଁ ଯାତ୍ରୀ ଟିକେଟ କାଟିବାକୁ ପହଞ୍ଚି ନିରାଶ ହୋଇ ଫେରୁଛନ୍ତି । ଯାତ୍ରୀମାନେ ଟିକେଟ ନପାଇ ହଇରାଣ ହେଉଥିବା ସମୟରେ ଟିକେଟ କଳାବଜାରୀ ମାଲାମାଲ ହୋଇ ଚାଲିଛନ୍ତି । ଏଦିଗରେ ରେଳ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉ ନାହାନ୍ତି । କାରଣ ରିଜର୍ଭେସନ କାଉଣ୍ଟରରେ ରହୁଥିବା କର୍ମଚାରୀଙ୍କ ସହ କଳାବଜାରୀଙ୍କର ଭିତିରି ସମ୍ପର୍କ ରହୁଥିବାର ଅଭିଯୋଗ ହେଉଛି । ତେଣୁ ରେଳ କର୍ତ୍ତୃପକ୍ଷ ସବୁ ଜାଣି ମଧ୍ୟ ଅଜଣା ରହୁଛନ୍ତି । ର୍ଧମକୁ ଆଖି ଠାର ସଦୃଶ ବର୍ଷରେ ଥରେ ଅଧେ କଳାବଜାରୀଙ୍କ ଉପରେ ଚଢ଼ାଉ ହୁଏ । କିନ୍ତୁ କିଛି ସେମାନଙ୍କ ଠାରୁ ମିଳେ ନାହିଁ । ବିଶେଷ କରି ସହର ମଧ୍ୟରେ ଥିବା କେତେକ ଟ୍ରାଭେଲ ଏଜେଣ୍ଟ ଏହି ଧରଣର କଳାବଜାରୀରେ ଲିପ୍ତ ଥିବା ଅଭିଯୋଗ ହେଉଛି । ଭଦ୍ରକ ଏ-ଶ୍ରେଣୀର ମାନ୍ୟତା ପାଇସାରିଛି ।
ଏଠାରୁ ପ୍ରତ୍ୟେକ ଦିନ ୩ହଜାରରୁ ଉର୍ଦ୍ଧ୍ୱ ଯାତ୍ରୀ ବିଭିନ୍ନ ସ୍ଥାନକୁ ଏକ୍ସପ୍ରେସ ଓ ଲୋକାଲ ଟ୍ରେନ ଯୋଗେ ଯିବା ଆସିବା କରିଥାନ୍ତି । ବିଶେଷକରି ବାହାର ରାଜ୍ୟକୁ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ଏଠାରେ ଅଧିକ । ଅଳ୍ପ କେତେକ ବ୍ୟକ୍ତି ଅନଲାଇନରେ ଟିକେଟ ବୁକିଂ କରୁଥିବାବେଳେ, ଅଧିକାଂଶ ଆଗୁଆ ଆସନ ସଂରକ୍ଷଣ ପାଇଁ ଷ୍ଟେସନରେ ପହଞ୍ଚିଥାନ୍ତି । କିନ୍ତୁ ପହଞ୍ଚିଲା ବେଳକୁ ଟିକେଟ ସେମାନଙ୍କ ପାଇଁ ନଥାଏ । କାରଣ କେତେକ ଟ୍ରାଭେଲ ଏଜେନ୍ସି ସକାଳୁ ସକାଳୁ ସମସ୍ତ ଟିକେଟ ନେଇ ସାରିଥାନ୍ତି । ଏହି କଳାବଜାରୀମାନେ ସାଧାରଣ ଲୋକଙ୍କୁ ଧାଡ଼ିରେ ଛିଡ଼ା କରାଇ ଟିକେଟ କରିଥାନ୍ତି । ତେଣୁ ତତ୍କାଳ ଟିକେଟ ମଧ୍ୟ କୌଣସି ଯାତ୍ରୀଙ୍କ ଭାଗରେ ପଡ଼େନାହିଁ । କିଛି ଟିକେଟ ଦଲାଲ ଏସମସ୍ତ ତତ୍କାଳ ଟିକେଟକୁ ନେଇ ୨ରୁ ତିନି ଗୁଣା ଅଧିକ ଦରରେ ଯାତ୍ରୀମାନଙ୍କୁ ବିକ୍ରି କରିଥାନ୍ତି । ତେବେ ବର୍ଷରେ ଥରେ ଅଧେ କଳାବଜାରୀକୁ ନେଇ ବିଭାଗୀୟ ଯାଞ୍ଚ ହୁଏ । କେତେକ ଟ୍ରାଭେଲ ଏଜେନ୍ସିରେ ଚଢ଼ାଉ ମଧ୍ୟ ହୁଏ । କିନ୍ତୁ ଫଳ ଶୂନ । କାରଣ ଚଢ଼ାଉ ପୂର୍ବରୁ କେତେକ ଦୁର୍ବିନତିଗ୍ରସ୍ତ ରେଳ କର୍ମଚାରୀ ଏହି କଳାବଜାରୀଙ୍କୁ ଆଗୁଆ ସୂଚନା ଦେଇ ଦିଅନ୍ତି । ଏସମସ୍ତ ବିଷୟ ରେଳ ବିଭାଗର କର୍ମଚାରୀଙ୍କ ଅଜ୍ଞାତସାରରେ ହେଉଛି ବୋଲି କୁହାଯାଇ ପାରିବ ନାହିଁ । ଏହି କର୍ମଚାରୀଙ୍କ ସହଯୋଗ ପାଇ କଳବଜାରୀ ସେମାନଙ୍କ ବ୍ୟବସାୟ ବର୍ଷ ବର୍ଷ ଧରି ଚଳାଇ ଚାଲିଛନ୍ତି । ତେଣୁ ରେଳବାଇ ପୁଲିସ ଏଦିଗ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ତେବେ ରେଳଯାତ୍ରୀଙ୍କୁ ଟିକେଟ ଯନ୍ତ୍ରଣାରୁ କେବେ ମୁକ୍ତି ମିଳିବ ତାହା ସମୟ କହିବ ।

Share This Article