ଜାଗ୍ରତ ହେଲେ ପ୍ରତିଭାର ଜାଗରଣ ହୁଏ – ରାଜ୍ୟପାଳ – Fast News Network

Odisha Hot News
3 Min Read

ଭଦ୍ରକ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମ୍ମାନନୀୟ ଓଡ଼ିଶାର ରାଜ୍ୟପାଳ ପ୍ରୋଫେସର ଗଣେଶୀ ଲାଲ ଆଜି ଭଦ୍ରକ ଗସ୍ତରେ ଆସି ପ୍ରଥମେ ବାସୁଦେବପୁର ବ୍ଲକର ଓ ଏଡ଼ତାଳ ଠାରେ ଅବସ୍ଥିତ ପାବନକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଞ୍ôଚ ପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ପୂର୍ବକ ଶ୍ରୀ ଜଗନ୍ନାଥ ମହୋତ୍ସବ ଓ ସଂକୀର୍ତ୍ତନ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମନ୍ଦିର କମିଟିର ସଭାପତି ପଣ୍ଡିତ ଦୟାନିଧି ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ମନ୍ଦିର କମିଟିର ଉପଦେଷ୍ଟା ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ଜଗନ୍ନାଥଙ୍କ ସଖା ସଖୀ ବୋଲି ସମ୍ବୋଧନ କରି ରାଜ୍ୟପାଳ ଜଗନ୍ନାଥଙ୍କ ତତ୍ତ୍ୱ ଓ ତଥ୍ୟ ସମ୍ବଳିତ ଦାର୍ଶନିକ କଥାବସ୍ତୁକୁ ଭାଷଣ ପ୍ରସଙ୍ଗରେ ପ୍ରକାଶ କରିଥିଲେ । ସର୍ବେ ଭବନ୍ତୁ ସୁଖୀନ ହେଉଛି ଜଗନ୍ନାଥ ସଂସ୍କୃତିର ମୂଳମନ୍ତ୍ର । ଜଗନ୍ନାଥ ହେଉଛନ୍ତି ସାଂସ୍କୃତିକ ଦେବତା । ଆମ ଜାତି ହେଉଛି ମନୁଷ୍ୟ, ମନୁଷ୍ୟତା ହେଉଛି ଆମ ଧର୍ମ, ଦେବତା ହେଉଛନ୍ତି ଆମ ନେତା ଉତ୍କଳମଣିଙ୍କ ଏହି ଆଖ୍ୟାନକୁ ସେ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ । ମଞ୍ଚରେ ସ୍ମରଣିକା ଉନ୍ମୋଚନ ସହିତ ଅତିଥି ଓ ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦିବଂଗତ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ମଧ୍ୟ ମରଣତ୍ତୋର ଭାବେ ସମ୍ମାନିତ କରାଯାଇଥିଲା ।
ଏହାପରେ ରାଜ୍ୟପାଳ ତିହିଡ଼ି ବ୍ଲକ୍‌ର ତାଳପଦା ଠାରେ ଅବସ୍ଥିତ ‘ବନ୍ଦେ ଉତ୍କଳ ଜନନୀ’ ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଲକ୍ଷ୍ମୀକାନ୍ତ କମ୍ୟୁନିଟି ସେଣ୍ଟର ପରିଦର୍ଶନ କରିଥିଲେ । ସାଂସଦ ଶ୍ରୀମତୀ ମଣ୍ଡଳ ଓ ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ମଣ୍ଡଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ପରେ ଦୋଳସାହିସ୍ଥିତ ରାମନାରାୟଣ ହାଇସ୍କୁଲର ପ୍ଲାଟିନମ୍ ଜୁବିଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଅବସରପ୍ରାପ୍ତ ପ୍ରଶାସକ ବିଦ୍ୟାଳୟର ପୂର୍ବତନ ଛାତ୍ର ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀମତୀ ମଣ୍ଡଳ, ମୁଖ୍ୟ ବକ୍ତା ଭାବେ କାଦମ୍ବିନୀ, କୁନିକଥାର ସମ୍ପାଦିକା ଇତିଶ୍ରୀ ସାମନ୍ତ, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ, ପ୍ରାକ୍ତନ ପ୍ରଶାସକ ରବି ନାରାୟଣ ସେନାପତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଭସ୍ମିତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ମରଣିକା ‘ପ୍ରାକ୍ତନୀ’ ର ଉନ୍ମୋଚନ କରାଯିବା ସହିତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଓ ଅନ୍ୟ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟପାଳଙ୍କୁ ମଧ୍ୟ ଅଙ୍ଗବସ୍ତ୍ର ସହ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । ପିଲାମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବାକୁ ଯାଇ ରାଜ୍ୟପାଳ ବୁଝାଇ ଥିଲେ ଯେ ଜାଗ୍ରତ ରହିଲେ ଅନ୍ତର୍ନିହିତ ପ୍ରତିଭାର ଜାଗରଣ ସମ୍ଭବ ହୋଇଥାଏ । ଉର୍ଜାକୁ ଉତ୍କର୍ଷତାର ଶୀର୍ଷରେ ପହଞ୍ଚାଇ ହୁଏ । ନିଜର ଇଚ୍ଛା, ସ୍ୱପ୍ନ, ଲକ୍ଷ୍ୟ, ବୃଦ୍ଧି, ନିଷ୍ଠାକୁ ହୃଦୟର ସହିତ ଗ୍ରହଣ କରିପାରିଲେ ଲକ୍ଷ୍ୟକୁ ଛୁଇଁ ହୁଏ । ଶେଷରେ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିପାରିଥିବା ଉତ୍କଳ ପ୍ରଦେଶର ଐତିହ୍ୟକୁ ସେ ଭୁରି ଭୁରି ପ୍ରଶଂସା କରିଥିଲେ । ଅନ୍ୟ ଅତିଥିମାନେ ବିଦ୍ୟାଳୟ ଜୀବନର ସ୍ମୃତିଚାରଣ ପୂର୍ବକ ବିଦ୍ୟାଳୟ ଶିକ୍ଷକ, ଅଭିଭାବକ ଓ ପିଲାମାନଙ୍କୁ ନେଇ ବିଦ୍ୟାଳୟ କିପରି ତ୍ରିବେଣୀ ସଂଙ୍ଗମ ତାହା ବୁଝାଇ ଥିଲେ । ଶ୍ରୀଯୁକ୍ତ ସେନାପତି ଜୁବିଲି ହଲ ନିର୍ମାଣ ପାଇଁ ମୋ ସ୍କୁଲ ଅଭିଯାନରେ ୫ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଥିଲେ । ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଏସ୍‌.ପି. ଚରଣ ସିଂ ମୀନା ରାଜ୍ୟପାଳଙ୍କ ଗ୍ରସ୍ତର ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Share This Article