ଭଦ୍ରକ: ନିକଟରେ ସମାପ୍ତ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହି ନିର୍ବାଚନରେ ଶାସକ ବିଜେଡି ସମର୍ଥିତ ପ୍ରାର୍ଥିମୀନେ ବିପୁଳ ସଂଖ୍ୟାରେ ବିଜୟୀ ହୋଇଛନ୍ତି । ତେଣୁ ଭଦ୍ରକ ପଂଚାୟତ ସମିତି ଦଖଲକରିବା ଦିଗରେ ରାଜନୈତିକ ମହଲର ପୂର୍ବାନୁମାନ ଅନୁଯାୟୀ ବିଜେଡି ପାଇଁ କୌଣସି ଅସୁବିଧା ନାହିଁ । କିନ୍ତୁ ଦୁଇ ବିରୋଧୀ ବିଜେପି, କଂଗ୍ରେସ ଦଳର ନେତୃମଣ୍ଡଳୀଙ୍କୁ ଏବେ ଲୋକହସା ହେବାକୁ ପଡୁଛି । କାରଣ ବିଜେପି ଓ କଂଗ୍ରେସ ସମର୍ଥନରେ ଗଠିତ ମଂଚ ବ୍ୟାନରରେ ନିର୍ବାଚିତ ଅଧିକାଂଶ ପ୍ରାର୍ଥୀ ଇତିମଧ୍ୟରେ ବିଜେଡିରେ ସାମିଲ ହୋଇସାରିଲେଣି । ସେହିପରି ସ୍ୱାଧୀନ ଭାବେ ନିର୍ବାଚିତ ପ୍ରାର୍ଥୀ ମଧ୍ୟ ଏବେ ବିଜେଡିରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ରରେ ଥିବା ବିଜେପି ସମର୍ଥନରେ ବିଜୟୀ କେତେକ ସମିତି ସଭ୍ୟ ମଧ୍ୟ ଇତିମଧ୍ୟରେ ବିଜେଡିର ଶରଣ ନେଇଛନ୍ତି । ଏକ ଜାତୀୟ ଦଳର ଜିଲା ନେତୃମଣ୍ଡଳୀ ଏହି ବିଜୟୀ ପ୍ରାର୍ଥୀଙ୍କୁ ଅଟକାଇ ପାରିନାହାଁନ୍ତି । ଯାହାକି ଜିଲା ବିଜେପି ନେତୃମଣ୍ଡଳୀୟଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ କଥା ସତ ସେ ଗତ ପଂଚାୟତ ନିର୍ବାଚନ ଅପେକ୍ଷା ଚଳିତବର୍ଷ ବିଜେପିକୁ ଅଧିକ ଭୋଟ ମିଳିଛି । ଗତ ନିର୍ବାଚନରେ ଖାତା ଖୋଲି ପାରିନଥିବା ବିଜେପି ଚଳିତ ନିର୍ବାଚନରେ ସାହାଡା, ଚଣ୍ଡିଗାଁ, ଅନ୍ନପାଳ, ବାଉଦପୁର ଭଳି ୪ଟି ପଂଚାୟତର ସରପଞ୍ଚ ପଦବୀ ଅକ୍ତିଆର କରିଛି । ଅନୁରୂପ ବେତଡା, ଅନ୍ନପାଳ, ବାଉଦପୁର, କାଉପୁର, ଦୈସିଂ ପଂଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଦଖଲ କରିଛି । ଭୋଟ ହାର ୪୩.୫ ରୁ ବଢି ୪୪ ପ୍ରତିଶତରେ ପହଞ୍ôଚଛି । ମାତ୍ର ଏ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ କେତେକଙ୍କୁ ଦଳ ମଧ୍ୟରେ ଅଟକାଇବା ବିଜେପି ପାଇଁ ସମ୍ଭବ ହୋଇପାରିନି ।
ପଂଚାୟତ ନିର୍ବାଚନ ଅବସରରେ ବିଭିନ୍ନ ପଂଚାୟତରେ ଦେଖିବାକୁ ମିଳିଥିଲା ବହୁ ରୋଚକ ଦୃଶ୍ୟ । ଅର୍ଦ୍ଧାଧିକ ପଞ୍ଚାୟତରେ ମୁଖ୍ୟ ବିରୋଧୀ ବିଜେପି, କଂଗ୍ରେସ ଦଳ ଉଭୟ ସରପଞ୍ଚ ଓ ସମିସି ସଭ୍ୟ ପ୍ରାର୍ଥୀ ଦେଇପାରିନଥିଲେ । ଏହି ଦୁଇ ଦଳର ଏକମାତ୍ର ଏଜେଣ୍ଡା ଥିଲା ବିଜେଡିକୁ ହରାଇବା । ତେଣୁ ଏହି ଦୁଇ ଦଳ ନିଜର ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିବା ପରିବର୍ତ୍ତେ କେତେକ ସ୍ତାନରେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ନେଇ ମଞ୍ଚ ଗଠନ କରିଥିଲେ । କେତେକ ସ୍ଥାନରେ ମଧ୍ୟ ଅସନ୍ତୁଷ୍ଟ ବିଦ୍ରୋହୀ ବିଜେଡି ପ୍ରାର୍ଥୀଙ୍କୁ ନେପଥ୍ୟ ସମର୍ଥନ ଦେଇଥିଲେ । ତେଣୁ ଅର୍ଦ୍ଧାଧିକ ପଂଚାୟତରେ ଦେଖିବାକୁ ମିଳିଥିଲା ବିଜେଡି ସମର୍ଥିତ ପ୍ରାର୍ଥୀ ବନାମ ବିଜେଡି ଅସନ୍ତୁଷ୍ଟ, ମଂଚ ବନା ବିଜେଡି ଓ ବିଜେଡି ବନାମ ମୁଖ୍ୟ ଦୁଇ ବିରୋଧୀ ଦଳ । ତେବେ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ବିଶେଷତଃ ବିଜେପିକୁ ମାନସିକ ସ୍ତରରେ ଦୁର୍ବଳ କରିବାକୁ ଏକ ବିଧିବଦ୍ଧ ରଣନୀତି ଆପଣେଇଥିଲା ବିଜେଡି । ନିର୍ବାଚନର ୧୫ଦିନ ପୂର୍ବରୁ ପ୍ରତ୍ୟେକ ଦିନ ବିଜେପିର କିଛି କର୍ମୀ ବିଭିନ୍ନ ପଂଚାୟତରୁ ଆସି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ବାସଭବନରେ ବିଜେଡିରେ ଯୋଗଦେଇ ଚାଲିଥିଲେ ।
ଏପରିକି ପ୍ରଚାର ସମୟରେ ମଧ୍ୟ କେତେକ ପଞ୍ଚାୟତରେ ମିଶ୍ରଣ ପର୍ବ ଚାଲିଥିଲା । ଯାହାକି ଗଣମାଧ୍ୟମରେ ପ୍ରକାଶିତ ହୋଇ ଚାଲିଥିଲା । ବିଧାୟକ ଶ୍ରୀ ମଲ୍ଲିକ ଦୃଢୋକ୍ତି ପ୍ରକାଶ କରିଥିଲେ ଯେ ବିଜେଡି ସମସ୍ତ ୩୬ ପଞ୍ଚାୟତରେ ବିଜୟୀ ହେବ । ଏପରିକି ଯିଏ ଜିତିବ, ସେ ବିଜେଡିର ହେବ ବୋଲି ନିର୍ବାଚନ ପୂର୍ବରୁ କୁହାଯାଇଥିଲା । ତେଣୁ ସମ୍ଭବତଃ ବିଜେଡି ପକ୍ଷରୁ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ନେତୃମଣ୍ଡଳୀଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ତେବେ ବିଧାୟକ ଶ୍ରୀ ମଲ୍ଲିକଙ୍କ ଦୃଢୋକ୍ତି ଏବେ ସତ୍ୟରେ ପରିଣତ ହେବାରେ ଲାଗିଛି । କାରଣ ଇତିମଧ୍ୟରେ ବହୁ ମଂଚ, ସ୍ୱାଧୀନ ପ୍ରାର୍ଥୀ, ଏପରିକି ବିଜେପି ନେତାଙ୍କ ସହ ବିଜୟ ଉତ୍ସବ ପାଳନ କରିଥିବା କେତେକ ବିଜୟୀ ପ୍ରାର୍ଥୀ ବିଜେଡିରେ ମିଶି ସାରିଛନ୍ତି । ଆଗାମୀ ଦିନରେ ଅବଶିଷ୍ଟ ମଧ୍ୟ ମିଶିବେ ବୋଲି ଅନୁମାନ କରାଯାଉଛି । ତେଣୁ ଏ ସମସ୍ତ ଘଟଣା କ୍ରମ ବିଜେପି ନେତୃମଣ୍ଡଳୀଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବିଜେପିରୁ ବିଜୟୀ ହୋଇ ମିଶିଲେ ବିଜେଡିରେ – Fast News Network

Comment