ପୁଣି ଥରେ ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କଲେ ନବୀନ – Fast News Network

Odisha Hot News
2 Min Read

ଭୁବନେଶ୍ୱର: ବିଜୁ ଜନତା ଦଳ ହିଂସା ଏବଂ ନକାରାତ୍ମକ ରାଜନୀତିରେ ବିଶ୍ୱାସ କରେ ନାହିଁ। ବିଜେଡି ସର୍ବଦା ସତ୍ୟ ଓ ନ୍ୟାୟର ପଥରେ ଆଗକୁ ବଢ଼ିଛି ଏବଂ ଏହି ଧାରା ଅବ୍ୟାହତ ରହିବ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ କହିଛନ୍ତି। ସମଗ୍ର ଦେଶରେ ହିଂସାର ରାଜନୀତି ଚାଲିଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସମସ୍ତଙ୍କ ପାଇଁ ଆଲୋକବର୍ତ୍ତିକା ସାଜିଛନ୍ତି । ସାମ୍ପ୍ରତିକ ସ୍ଥିତିରେ ନବୀନଙ୍କର ଏହି ମନ୍ତବ୍ୟ ବେଶ୍ ଗୁରୁତ୍ୱ ବହନ କରୁଛି। ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ, ମହାରାଷ୍ଟ୍ରରୁ ଆରମ୍ଭ କରି ପଞ୍ଜାବ ପର୍ଯ୍ୟନ୍ତ ସବୁଠି ରାଜନୀତିକୁ ନେଇ ରକ୍ତପାତ ହେଉଛି, ହିଂସାକାଣ୍ଡ ଦେଖିବାକୁ ମିଳୁଛି।
ଜାତୀୟ ଦଳ ଠାରୁ ଆରମ୍ଭ କରି ରାଜନୈତିକ ଦଳର ନେତା ପରସ୍ପର ବିରୋଧରେ ବିଶୋଦ୍‌ଗାର କରିବା ଏକ ସାଧାରଣ କଥା ହୋଇଛି । ବିଶେଷ କରି ଶାସକ ଦଳ ଓ ବିରୋଧୀ ଦଳର ନେତା ପରସ୍ପର ବିରୋଧରେ ନାନା କୁତ୍ସାରଟନା, ଆରୋପ ପ୍ରତ୍ୟାରୋପ, କଟୁ ମନ୍ତବ୍ୟ ପ୍ରଦାନ କରିବାରେ ବ୍ୟସ୍ତ ରହିଛନ୍ତି । ତେବେ ଏ ସବୁଠାରୁ ନିଜକୁ ଉର୍ଦ୍ଧ୍ୱରେ ରଖିନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ପରେ ଦଳର ସାଂସଦ, ବିଧାୟକ, ଜିଲ୍ଲା ସଭାପତି ତଥା ପର୍ଯ୍ୟବେକ୍ଷକମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ଜନତା ଦଳ ସର୍ବଦା ଅହିଂସାରେ ବିଶ୍ୱାସ କରେ। ନକାରାତ୍ମକ ରାଜନୀତି ଠାରୁ ବିଜେଡି ବହୁ ଦୂରରେ ରହିଛି । ଗଣତନ୍ତ୍ର ପ୍ରତି ନକାରାତ୍ମକ ରାଜନୀତି ଘୋର ବିପଦ ରହିଛି।
ନିର୍ବାଚନ ଜିତିବା ଲାଗି ବିରୋଧୀ ଦଳର ନେତା ଓ କର୍ମୀ ଶାସକ ଦଳ ବିରୋଧରେ ଅପପ୍ରଚାର କରୁଛନ୍ତି, ମିଥ୍ୟା ଓ ଛଳନାର ଆଶ୍ରୟ ନେଉଛନ୍ତି । କିନ୍ତୁ ଏଥିରେ ଆମେ ବିଚଳିତ ନୁହେଁ । କାରଣ ଆମର ଭଲ କାମ ହିଁ ଆମକୁ ଲୋକଙ୍କ ନିକଟତର କରିଛି । ଏହା ହେଉଛି ସତ୍ୟ ଓ ଧର୍ମର ବିଜୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପାଇଁ ପ୍ରଥମ ରାଜନେତା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର ଉତ୍ତୋଳନ କରିଥିଲେ। ଅନୁରୂପ ଭାବେ ନକାରାତ୍ମକ ରାଜନୀତି ଠାରୁ ଦୂରେଇ ରହିବା ପାଇଁ ନିଜର ଦଳୀୟ ନେତୃବୃନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ଆହ୍ବାନ ଦେଇଛନ୍ତି । ତାହା ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ଦେଶର ରାଜନୈତିକ ଦଳ ପାଇଁ ଏକ ସତର୍କ ଘଣ୍ଟି ସଦୃଶ ହୋଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

Share This Article