ଉଠିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ – Fast News Network

Odisha Hot News
2 Min Read

ଭୁବନେଶ୍ୱର: ଫାଲଗୁନ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଅବସରରେ ସମଗ୍ର ରାଜ୍ୟ ସମେତ ଆଜି ଦିନ ତମାମ ଏକାମ୍ର କ୍ଷେତ୍ରରେ ଶିବଧ୍ବନୀ ଶୁଭିଛି। ଶ୍ରଦ୍ଧାଳୁମାନେ ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଦିନସାରା ଉପାସ ରହି ରାତିରେ ମହାଦୀପ ଉଠିବା ପରେ ବ୍ରତ ଭଙ୍ଗ କରିଛନ୍ତି। ରାତି ୧୦ଟା ୨୧ ମିନିଟ୍ ସମୟରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଛି। ନିର୍ଦ୍ଧାରିତ ସମୟର ପ୍ରାୟ ୨୧ ମିନିଟ୍ ପରେ ମହାଦୀପ ଉଠିଛି। ଦୀପ ଉଠିବା ସମୟରେ ସମାଗତ ଭକ୍ତ ଓ ସେବାୟତଙ୍କ ‘ହର ହର ମହାଦେବ’ ଧ୍ୱନିରେ କମ୍ପି ଉଠିଥିଲା।
ସୂଚନାଯୋଗ୍ୟ, ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠାଇବା ନେଇ ଗତ ଫେବ୍ରୁଆରି ୨୩ ତାରିଖରେ ସମନ୍ବୟ କମିଟିର ବୈଠକ ବସିଥିଲା। ବୈଠକ ପରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇ କହିଥିଲେ ଯେ, ମାର୍ଚ୍ଚ ୧ ତାରିଖରେ ପଡ଼ୁଥିବା ମହାଶିବରାତ୍ରି ପାଇଁ ନୀତିନିଘଣ୍ଟ ଚୂଡ଼ାନ୍ତ ହୋଇଛି । ରାତି ୧୦ଟାରେ ମହାଦୀପ ଉଠିବ। ଭକ୍ତମାନେ ମନ୍ଦିର ଭିତରେ କୋଭିଡ୍ କଟକଣା ମଧ୍ୟରେ ଦୀପ ଜାଳିପାରିବେ ।
ଆଜି ଦିନ ତମାମ ଏକାମ୍ର କ୍ଷେତ୍ର ଶିବ ପଞ୍ଚାକ୍ଷରୀରେ ପ୍ରକମ୍ପିତ ହେଇଛି। ଗଗନ ସହ ପବନ ମିଶିଛି। ପବିତ୍ର ଜାଗରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଏକାମ୍ର କ୍ଷେତ୍ରକୁ ଛୁଟିଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ଭକ୍ତି ଓ ଆବେଗରେ କିଏ ଦୀପଟିଏ ଜାଳି ଦେଇ ଗୁହାରି ବାଣ୍ଟୁଥିଲା ତ ଆଉ କିଏ ଲମ୍ବା ଧାଡ଼ିରେ ପ୍ରଭୁଙ୍କ ଦର୍ଶନ ପାଇଁ ଛିଡ଼ା ହୋଇ ଧୈର୍ଯ୍ୟର ପରୀକ୍ଷା ଦେଉଥିଲା। ଖରାକୁ ଖାତିର ନଥିଲା କି ଉପବାସର ଯନ୍ତ୍ରଣା ବାଧୁ ନଥିଲା।
ଭୋର୍‌ ୩ଟାରୁ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା। ରାତି ବିଢ଼ିବା ସହ ମହାଦୀପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବି ଚାଲିଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଖି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚୂଡ଼ାରେ ଲାଖି ରହିଥିଲା। ପୂର୍ବ ବର୍ଷ ୯ଟା ୩୩ରେ ମହାଦୀପ ଉଠିଥିଲା। ମହାଦୀପ ଉଠିବା କ୍ଷଣି ହରହର ମହାଦେବ ଧ୍ବନି ଓ ହୁଳହୁଳିରେ ଉଛୁଳିଥିଲା ଏକାମ୍ର କ୍ଷେତ୍ର।

Share This Article