ଲୁଲୁଙ୍କ ଗୋଟି ଚାଳନାରେ ବିଜେଡ଼ିକୁ ସଂଖ୍ୟାଗରିଷ୍ଠତା – Fast News Network

Odisha Hot News
3 Min Read

ଭଦ୍ରକ: ଏହି ଜିଲାର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବନ୍ତ ବ୍ଲକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ୨୦୧୭ ପଂଚାୟତ ନିର୍ବାଚନରେ ଏହି ବ୍ଲକରେ ୨୨ ଟି ପଂଚାୟତରୁ ୨୫ଟି ପଂଚାୟତରେ ପରିଣତ ହୋଇଥିଲା । ବନ୍ତ ବ୍ଲକକୁ ବିଭକ୍ତ କରାଯାଇଥିବା ୩ଟି ଜୋନ ମଧ୍ୟରୁ ୧୪ନଂ ଜୋନରେ ୨ଟି ନୂତନ ପଂଚାୟତ ଅର୍ନ୍ତଭୁକ୍ତ ହୋଇଥିବା ବେଳେ ୧୫ନଂ ଜୋନରେ ୧ଟି ପଂଚାୟତ ଅର୍ନ୍ତଭୁକ୍ତ ହୋଇଥିଲା । ଆଗରପଡ଼ା ୧୪ନଂ ଜୋନରେ ପୁରୁଷଣ୍ଢ ପଂଚାୟତକୁ ଭାଗ କରାଯାଇ ବିଟିପୁର ପଂଚାୟତ ଓ ଅଣିଜୋ ପଂଚାୟତକୁ ଭାଗ କରାଯାଇ ଚାରିଗାଁ ପଂଚାୟତ ଗଠନ କରାଯାଇଥିଲା । ୨୦୧୭ ପଂଚାୟତ ନିର୍ବାଚନରେ ବିଟିପୁରରୁ ସରପଂଚ ଭାବେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ଓ ଚାରିଗାଁରୁ ସ୍ୱାଧିନ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ବନ୍ତ ୧୫ନଂ ଜୋନରେ କାଦବରାଙ୍ଗ ପଂଚାୟତକୁ ଭାଗ କରାଯାଇ ବଡ଼ବର୍ଚ୍ଚିକୟାଁ ପଂଚାୟତ ଗଠନ କରାଯାଇଥିଲା ।
ନିର୍ବାଚନରେ ବଡ଼ବର୍ଚ୍ଚିକୟାଁ ରୁ ୩ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡ଼ି ସମର୍ଥୀତ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ସମିତି ସଭ୍ୟ ଭାବରେ ବିଟିପୁରରୁ ବିଜେଡ଼ି ସମର୍ଥୀତ ଓ ଚାରିଗାଁରୁ ବିଜେପି ସମର୍ଥୀତ ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ବଡ଼ବର୍ଚ୍ଚିକୟାଁରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ସେହିପରି ବିଭାଜିତ ପଂଚାୟତ ତଥା ପୁରୁଷଣ୍ଢରୁ ସରପଂଚ କଂଗ୍ରେସ ଓ ସମିତି ସଭ୍ୟ ବିଜେଡ଼ି ପ୍ରାର୍ଥୀ, ଅଣିଜୋରୁ ସରପଂଚ ଓ ସମିତି ସଭ୍ୟ କଂଗ୍ରେସ ପ୍ରାର୍ଥୀ ଏବଂ କାଦବରାଙ୍ଗରୁ ସରପଂଚ(କଂଗ୍ରେସ ସମର୍ଥୀତ) ଓ ସମିତି ସଭ୍ୟ ସ୍ୱାଧିନ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ମୋଟାମୋଟି ଭାବେ ଉକ୍ତ ୬ଟି ପଂଚାୟତରୁ ବିଜେଡ଼ି ସମର୍ଥୀତ ସରପଂଚଙ୍କ ସଂଖ୍ୟା ୧ଥିବାବେଳେ ସମିତିସଭ୍ୟ ସଂଖ୍ୟା ୩ଥିଲା । ଏଥର ପଂଚାୟତ ନିର୍ବାଚନରେ ଭଣ୍ଡାରିପୋଖରୀ ଆସନରୁ ୪ର୍ଥ ଥର ପାଇଁ କ୍ରମାଗତ ଭାବେ ବିଧାୟକ ନିର୍ବାଚିତ ହୋଇଥିବା ତଥା ପୂର୍ବତନ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପରିବର୍ତ୍ତେ ତାଙ୍କ ସୁପୁତ୍ର ତଥା ରାଜ୍ୟ ବିଜେଡ଼ି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ (ଲୁଲୁ) ଦଳର ମଙ୍ଗୁଆଳ ସାଜି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅଙ୍କ କଷି ଚାଲିଥିଲେ । ନିର୍ବାଚନ ମଣ୍ଡଳୀ ସଭାପତି ବିପିନ ବିହାରୀ ନାୟକ, ବ୍ଲକ ଯୁବ ସଭାପତି ସତ୍ୟ ସାଧନ ବେଜ ଓ ଛାତ୍ର ସଭାପତି ପ୍ରଣବ କିଶୋର ଲେଙ୍କାଙ୍କୁ ଲୁଲୁ ବିଭିନ୍ନ ପଂଚାୟତ ଦାୟିତ୍ୱ ଦେଇଥିଲେ ।
ପୂର୍ବରୁ ବିଧାୟକଙ୍କ ନେତୃତ୍ୱରେ ନିର୍ବାଚନ ପରିଚାଳିତ ହେଉଥିବା ବେଳେ ଏଥର ପ୍ରଥମ ଥର ପାଇଁ ଏହି ଦାୟିତ୍ୱ ଲୁଲୁ ନିର୍ବାହ କରୁଥିଲେ । ତେଣୁ ଉକ୍ତ ୩ଟି ନୂତନ ପଂଚାୟତ ଓ ଅନ୍ୟ ୩ଟି ପଂଚାୟତରେ ୨୦୧୭ ସମୀକରଣରେ ପରିବର୍ତ୍ତନକୁ ନେଇ ତାଙ୍କ ଗୋଟି ଚାଳନା ବିଜେଡ଼ିକୁ କେତେ ସଂଖ୍ୟାଗରିଷ୍ଠତା ଦେବ ତାହାର ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ଲୁଲୁଙ୍କ ଗୋଟି ଚାଳନାରେ ୩ନୂତନ ପଂଚାୟତ ସମୀକରଣରେ ପରିବର୍ତ୍ତନ ହୋଇଛି । କେବଳ ୧୫ ନଂ ଜୋନର ବଡ଼ବର୍ଚ୍ଚିକୟାଁ ପଂଚାୟତରେ ସରପଂଚ ଓ ସମିତିସଭ୍ୟ ଆସନ କଂଗ୍ରେସ ସମର୍ଥୀତ ପ୍ରାର୍ଥୀଙ୍କୁ ଯାଇଥିବା ବେଳେ ଆଉ ସବୁ ଆସନ ବିଜେଡ଼ି ସମର୍ଥୀତ ପ୍ରାର୍ଥୀଙ୍କୁ ମିଳିଛି । ଗତ ୨୦୧୭ରେ ୬ଟି ପଂଚାୟତରୁ ବିଜେଡ଼ି ସମର୍ଥୀତ ସରପଂଚଙ୍କ ସଂଖ୍ୟା ୧ ଥିବା ବେଳେ ଏଥର ଏହା ୫ ଓ ସମିତିସଭ୍ୟ ସଂଖ୍ୟା ୩ରୁ ୫ରେ ପରିବର୍ତ୍ତତ ହୋଇଛି । ଉକ୍ତ ପରିବର୍ତ୍ତନରେ ଲୁଲୁଙ୍କ ଗୋଟି ଚାଳନା ପ୍ରମୁଖ ଭୂମିକା ନିର୍ବାହ କରିଥିବାର ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

Share This Article