ବାସୁଦେବପୁର ପଞ୍ଚାୟତ ନିର୍ବାଚନ – ବିଜେଡି ପାଇଁ ଏକ ଆହ୍ୱାନ

Odisha Hot News
3 Min Read

ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ଅର୍ଥାତ୍ ଆସନ୍ତାକାଲି ୨୨ ତାରିଖ ଭଦ୍ରକ ଜିଲାର ପ୍ରମୁଖ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ୩୬ ଟି ପଞ୍ଚାୟତକୁ ନେଇ ଗଠିତ ଏହି ବିଧାନସଭା ଆସନଟି ଜିଲା ତଥ ରାଜ୍ୟ ଓ ରାଜନୀତିରେ ଏକ କେନ୍ଦ୍ରବିନ୍ଦୁ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନୀଳମଣି ରାଉତରାୟ ଏହି ବିଧାନସଭା ଆସନରୁ ଦୁଇଥର ବିଜୟ ଲାଭ କରିଥିଲେ । ପରବର୍ତ୍ତୀ ସମୟରେ ୧୯୯୦ ମସିହାରୁ ତାଙ୍କ ପୁଅ ସ୍ୱର୍ଗତଃ ବିଜୟଶ୍ରୀ ରାଉତରାୟ ୨୦୧୯ ପର୍ଯ୍ୟନ୍ତ ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବିଭିନ୍ନ ବିଭାଗରେ ଅଧିଷ୍ଠିତ ଥିଲେ । ତାଙ୍କ ଦେହାନ୍ତ ପରେ ବିଜୟଶ୍ରୀଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ୨୦୧୯ ନିର୍ବାଚନରେ ବିଜେଡିରୁ ଟିକେଟ୍ ପାଇ ଏବେ ବିଧାୟକ ଅଛନ୍ତି । ବିଧାୟକ ବିଷ୍ଣୁବ୍ରତ ପ୍ରଥମଥର ପାଇଁ ପଞ୍ଚାୟତ ନିର୍ବାଚନର ସମ୍ମୁଖୀନ ହୋଇଛନ୍ତି । ଜେଜେବାପା, ବାପାଙ୍କ ରାଜନୈତିକ ଅଭିଜ୍ଞତାକୁ ପୁଞ୍ଜି କରି ବିଧାୟକ ବିଷ୍ଣୁବ୍ରତ ଏବେ ପଞ୍ଚାୟତ ନିର୍ବାଚନ ପରୀକ୍ଷା ଦେଇଛନ୍ତି । ତେବେ ଏହି ନିର୍ବାଚନରେ ପୂର୍ବତନ ଧାମନଗର ବିଧାୟକ ମୁକ୍ତି ମଣ୍ଡଳ ତାଙ୍କ ପାଇଁ ଗୃହଶତ୍ରୁ ସାଜିଥିବା ନେଇ ଚର୍ଚ୍ଚା ଚାଲିଛି । ପ୍ରକାଶ ଥାଉକି ଏକଦା ପୂର୍ବତନ ବିଧାୟକ ଶ୍ରୀ ମଣ୍ଡଳ ଏହି ନିର୍ବାଚନ ମଣ୍ଡଳୀର ଗଡଫାଦର ଥିଲେ ।
ସ୍ୱର୍ଗତଃ ବିଜୟଶ୍ରୀ ରାଉତରାୟଙ୍କର ସେ ଥିଲେ ଏକାନ୍ତ ଅନୁଗତ । ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟଠାରୁ ନେଇ ନିର୍ବାଚନ ପରିଚାଳନା କରି ସଫଳତା ଆଣିପାରିଥିଲେ । ଏଣୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବହୁ ପଞ୍ଚାୟତରେ ଏବେବି ତାଙ୍କର ରାଜନୈତିକ ପତିଆରା ରହିଛି । ବିଷ୍ଣୁବ୍ରତ ବିଧାୟକ ହେବା ପରେ ବାପାଙ୍କ ଭଳି ଶ୍ରୀ ମଣ୍ଡଳଙ୍କ ଉପରେ ଆଉ ଭରସା ନକରି ତାଙ୍କର ଅନୁଗତକୁ ନେଇ ନିଜସ୍ୱ ସଂଗଠନକୁ ଶକ୍ତିକାଳୀ କଲେ । ଚଳିତ ପଞ୍ଚାୟତ ନିର୍ବାଚନରେ ସେ ପ୍ରଚାର ମଙ୍ଗ ଧରିଛନ୍ତି । ଏକାଠି ତାଙ୍କ ଦଳୀୟ କର୍ମୀଙ୍କ ସହ ନିର୍ବାଚନ ପ୍ରଚାର ପଞ୍ଚାୟତରେ ଚଳାଇଛନ୍ତି । ଆଜିପର୍ଯ୍ୟନ୍ତ ବିଧାୟକ ଶ୍ରୀ ରାଉତରାୟ ନିଜର ନିର୍ବାଚନ ପ୍ରଚାରରେ ବିଧାୟକ ଶ୍ରୀ ମଣ୍ଡଳ କିମ୍ବା ତାଙ୍କ ପତ୍ନୀ ସାଂସଦ ମଂଜୁଲତା ମଣ୍ଡଳଙ୍କୁ ସାମିଲ କରିନାହାଁନ୍ତି । ବିଶେଷତଃ ଶ୍ରୀ ମଣ୍ଡଳଙ୍କ ନିଜ ପଞ୍ଚାୟତ ସୁଗୋରେ ନିର୍ବାଚନ ପ୍ରଚାର ସମୟରେ ଉଭୟଙ୍କ ମଧ୍ୟରେ ଥିବା ମତଭେଦ ଏବେ ପଦାରେ ପଡିଛି । ଏହି ପଞ୍ଚାୟତରେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଓ ଦଳୀୟ ସମର୍ଥନରେ ଲଢୁଥିବା ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ବିଧାୟକ ଶ୍ରୀ ରାଉତରାୟ ଗତ ୮ ତାରିଖ ପ୍ରଚାର କରିଥିଲେ ।
ଏହି ପ୍ରଚାର ସମୟରେ ଶ୍ରୀ ମଣ୍ଡଳ କିମ୍ବା ତାଙ୍କ ପତ୍ନୀ ସାଂସଦ ଶ୍ରୀମତୀ ମଣ୍ଡଳଙ୍କୁ ଦେଖିବାକୁ ମିଳିନଥିଲା । ଅପରପକ୍ଷରେ ଗତ ୧୮ ତାରିଖ ଏହି ପଞ୍ଚାୟତରେ ସାଂସଦ ଶ୍ରୀମତୀ ମଣ୍ଡଳ ଓ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ସମାନ୍ତରାଳ ଭାବେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ବିଧାୟକ ଶ୍ରୀ ରାଉତରାୟ ଓ ଶ୍ରୀ ମଣ୍ଡଳଙ୍କ ମଧ୍ୟରେ ଥିବା ବିବାଦର ସ୍ପଷ୍ଟ ଚିତ୍ର ସୁଗୋ ପଞ୍ଚାୟତରୁ ସ୍ପଷ୍ଟ ବାରିହୋଇପଡୁଥିଲା । ଉଭୟଙ୍କ ମଧ୍ୟରେ ଥିବା ଏହି ମତଭେଦ ଆସନ୍ତା ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଭୋଟରମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ ପ୍ରଥମ ଥର ପାଇଁ ନିର୍ବାଚନ ପରିଚାଳନା କରୁଥିବା ଯୁବ ବିଧାୟକଙ୍କ ପାଇଁ ଏହି ପଞ୍ଚାୟତ ନିର୍ବାଚନ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Share This Article