କେନ୍ଦ୍ର ସରକାର ବଳକା ଉଷୁନା ଚାଉଳ ନ ଉଠାଇବା ପ୍ରତିବାଦରେ ବିଜେଡିର ଧାରଣା

Odisha Hot News
2 Min Read

ଭୁବନେଶ୍ବର: ଆଜି ଏଫସିଆଇ ଅଫିସ୍ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି। ବଳକା ଉଷୁନା ଚାଉଳ ନ ଉଠାଇବା ପ୍ରତିବାଦରେ ବିଜେଡିର ବହୁ ନେତା ଓ କର୍ମୀ ଧାରଣାରେ ବସିଥିଲେ। ଯଦି କେନ୍ଦ୍ର ସରକାର ଏହି ଦାବି ନ ମାନନ୍ତି, ତେବେ ଏହି ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ସମୟରେ ମନ୍ତ୍ରୀ ଅଶୋକ ପଣ୍ଡା ଅଭିଯୋଗ କରିଛନ୍ତି, ଓଡ଼ିଶାର ୯୫ ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ ହେଉଥିବା ବେଳେ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ଉଠାଇବା କଥା। କିନ୍ତୁ କେନ୍ଦ୍ର ସରକାର ତାହା ପ୍ରତ୍ୟାଖ୍ୟାନ କରିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କ ଭାବାବେଗ ସହ ଖେଳୁଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଚାଉଳ କିଣା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲା ବିଜୁ ଜନତା ଦଳ । ଚାଷୀଙ୍କ ସ୍ବାର୍ଥରକ୍ଷା ପ୍ରସଙ୍ଗରେ ବିଜେପି ସବୁବେଳେ ଦୋମୁହାଁ ନୀତି ଗ୍ରହଣ କରୁଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ।
ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଥିଲେ ଯେ କେନ୍ଦ୍ର ସରକାର ୨୦୨୦-୨୧ ଖରିଫ ଋତୁରେ ଓଡ଼ିଶାରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରାଯାଇଥିଲା। ତାମଧ୍ୟରୁ ୩୦ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟରେ ବ୍ୟବହାର ପାଇଁ ରାଜ୍ୟ ସରକାର ରଖିଛନ୍ତି । ଅର୍ଥାତ ଆମ ପାଖରେ ୨୨ ଲକ୍ଷ ମେଟ୍ରିକ ଟନ ଚାଉଳ ଗଚ୍ଛିତ ରହିଛି ଓ ନିୟମ ଅନୁସାରେ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ଏହାକୁ ଖରିଦ କରିବା କଥା । ଏହା ମଧ୍ୟରୁ ୨ ଲକ୍ଷ ଟନ ଅରୁଆ ଚାଉଳ ଓ ୫ ଲକ୍ଷଟନ ଭିଟାମିନଯୁକ୍ତ ଉଷୁନା ଚାଉଳ କିଣିବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲା। ବଳକା ୧୫ ଲକ୍ଷ ଟନ ଚାଉଳର ଭାଗ୍ୟ କଣ ହେବ ତାହା ମଧ୍ୟ ଆମେ ଜାଣିପାରୁ ନାହୁଁ ବୋଲି ସେ କହିଥିଲେ। ସେହିପରି ବିଜେଡ଼ିର ମୁଖପାତ୍ର ସୁଲତା ଦେଓ କହିଥିଲେ ଯେ ଚାଷୀଙ୍କ ପାଇଁ ବିଜେପି ସବୁବେଳେ କୁମ୍ଭୀର କାନ୍ଦଣା କାନ୍ଦୁଛି। କେବଳ ନିର୍ବାଚନ ଆସିଲେ ଚାଷୀଙ୍କ ପାଇଁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି, କିନ୍ତୁ ନିର୍ବାଚନ ଯିବା ପରେ ଚାଷୀମାନଙ୍କୁ ଭୁଲି ଯାଉଛି।

Share This Article