ଭୁବନେଶ୍ୱର: ମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନିର୍ବାଚନୀ ବୈତରଣୀ ପାର ହେବା ଲାଗି ନିଜର ସବୁ ବଳ ଖଟାଇ ଦେଇଛନ୍ତି। କିନ୍ତୁ ଶାସକ ବିଜୁ ଜନତା ଦଳ ବିଜେପି ଓ କଂଗ୍ରେସ୍ ଉପରେ ସବୁ ଦିଗରୁ ଭାରି ପଡ଼ୁଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ବିଜେଡି ଶିବିରରେ ମାଳମାଳ ବିରୋଧୀ ଦଳ ନେତାଙ୍କ ଉପସ୍ଥିତି। ପ୍ରାୟତଃ ସବୁ ଦିନ ଦୁଇ ପ୍ରମୁଖ ବିରୋଧୀ ଦଳର ନେତା ଓ କର୍ମୀ ବିଜେଡିରେ ମିଶୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ବ୍ୟକ୍ତିତ୍ୱ କଂଗ୍ରେସ ଓ ବିଜେପି ନେତାଙ୍କୁ ଶଙ୍ଖ ଧରିବା ପାଇଁ ବାଧ୍ୟ କରୁଛି। ଅନ୍ୟପଟେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗୋଟି ଚାଳନା ଆଗରେ ବିରୋଧୀ ଶିବିର ଖାଲି ହେବାରେ ଲାଗିଛି।
ଚଳିତ ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି କୁହାଯାଉ ଥିବା ବେଳେ କଂଗ୍ରେସ୍ ଓ ବିଜେପି ପାରୁ ପର୍ଯ୍ୟନ୍ତ ନିଜ ଗଡ଼ ବଞ୍ଚାଇବା ପାଇଁ ଯତ୍ପରୋନାସ୍ତି ଉଦ୍ୟମ ଚଳାଇଛନ୍ତି। ତେବେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଜଣକ ପରେ ଜଣେ ନେତା ଦଳ ଛାଡ଼ୁ ଥିବାରୁ ବିରୋଧୀ ଶିବିରରେ ମୁଣ୍ଡବ୍ୟଥା ଆରମ୍ଭ ହୋଇଛି। ଆଗକୁ ମଧ୍ୟ ଅନେକ ଜିଲ୍ଲାରେ କଂଗ୍ରେସ୍ ଓ ବିଜେପି ନେତା ଶଙ୍ଖ ଧରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପ୍ରତ୍ୟେକ ମିଶ୍ରଣ ପର୍ବରେ ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ଦାସ ଗୋଟିଏ କଥା ନିଶ୍ଚିତ ଭାବେ କହିଥାନ୍ତି ବିଜେଡିରେ କାହା ପ୍ରତି ଅବହେଳା କିମ୍ବା ଅସମ୍ମାନ ପ୍ରଦର୍ଶନ କରାଯାଏ ନାହିଁ। ଆଉ ଏହି ଉକ୍ତି ହିଁ ଦୁଇ ବିରୋଧୀ ଦଳକୁ ଦୁର୍ବଳ କରିବା ପାଇଁ ଯଥେଷ୍ଟ ହେଉଛି। ନିକଟରେ କଂଗ୍ରେସ ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ, ସରପଞ୍ଚ, ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ସମ୍ପାଦକ ବିଜେଡିରେ ଯୋଗ ଦେଇଛନ୍ତି।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ଦିନରେ ବିଜେପି ଓ କଂଗ୍ରେସର ଅନେକ ବରିଷ୍ଠ ନେତା ବିଜେଡିରେ ମିଶିବାକୁ ଯାଉଛନ୍ତି। ପ୍ରଣବଙ୍କ ସମେତ ଦଳର ତୁଙ୍ଗ ନେତାଙ୍କ ସହ ସେମାନେ ସମ୍ପର୍କରେ ରହିଛନ୍ତି। ନିର୍ବାଚନ ପୂର୍ବରୁ ଦଳ ବଦଳ ରାଜନୈତିକ ସମୀକରଣକୁ ଓଲଟ ପାଲଟ କରିବ ବୋଲି ରାଜନୈତିକ ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ବିଜେପି ଓ କଂଗ୍ରେସ ହାତ ଛାଡ଼ି ଥିବା ନେତାଙ୍କ ମୁହଁରେ ଗୋଟିଏ କଥା ଯେ ଦୁର୍ବଳ ନେତୃତ୍ୱ ଯୋଗୁଁ ଦଳରେ ରହି କାମ କରିବା ସମ୍ଭବ ନୁହେଁ। ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ବିକାଶ ପାଇଁ ଯଦି କେହି କାମ କରୁଥାଏ ସେ ହେଉଛି ବିଜେଡି। ରାଜ୍ୟ ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ସଫଳତାକୁ ନେଇ ବିଜେଡି ଲୋକଙ୍କ ପାଖକୁ ଯାଉଛି। ତେବେ ବିଜେପି ଓ କଂଗ୍ରେସ୍ ଦଳ ବଦଳ ନେତାଙ୍କ ପାଇଁ ଚିନ୍ତା ନିର୍ବାଚନ ଆହ୍ବାନକୁ ବି ବଳି ଯାଉଛି।
ବବିଙ୍କ ଗୋଟି ଚାଳନାରେ ଧରାଶାୟୀ ବିରୋଧୀ

Comment