ପ୍ରବାସୀ ଭୋଟ୍ ଉପରେ ପ୍ରାର୍ଥୀଙ୍କ ନଜର

Odisha Hot News
2 Min Read

ଭଦ୍ରକ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ଭୋଟ୍ ଉପରେ ଏବେ ସବୁ ରାଜନୈତିକ ଦଳ ପ୍ରାର୍ଥୀଙ୍କ ନଜର । ଏହି ଭୋଟ୍ ହାତେଇବାକୁ ସମସ୍ତ ପ୍ରାର୍ଥୀ ଏବେ କସରତ ଆରମ୍ଭ କରି ଦେଇଛନ୍ତି । ଜିଲା ପ୍ରଶାସନର ସୂଚନା ଅନୁଯାୟୀ, କରୋନା କାଳରେ ଭଦ୍ରକ ଜିଲାକୁ ୭୦ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଫେରି ଆସିଥିଲେ । କୋଭିଡ୍ ପ୍ରକୋପ କମିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ କର୍ମସ୍ଥଳୀକୁ ଫେରି ଯାଇଛନ୍ତି । ବେସରକାରୀ ଭାବରେ ଏହି ସଂଖ୍ୟା ଏକ ଲକ୍ଷରୁ ଅଧିକ । ସେମାନେ ଚଳିତ ନିର୍ବାଚନରେ ଭୋଟ୍ ଦାନରୁ ବଂଚିତ ହେବେ । ବହୁ ଦୂରରେ ରହିଥିବାରୁ ଖର୍ଚ୍ଚାନ୍ତ ହୋଇ କେବଳ ଭୋଟ୍ ଖଣ୍ଡେ ଦେବାକୁ ନିଜ ଘରକୁ ଫେରିବାକୁ ମନ ବଳାଉନାହାଁନ୍ତି ପ୍ରବାସୀମାନେ । ତେଣୁ ପ୍ରାର୍ଥୀମାନେ ଏବେ ସେମାନଙ୍କ ଯିବାଆସିବା ଗାଡି ଭଡା ଦେବାକୁ ପ୍ରସ୍ତୁତ । ଫୋନ୍ ପେ ବା ଗୁଗୁଲ୍ ପେ ମାଧ୍ୟମରେ ସେମାନଙ୍କ ନିକଟକୁ ଟଙ୍କା ପଠାଯାଉଥିବା ସୂଚନା ମିଳିଛି । ତଥ୍ୟ ଅନୁଯାୟୀ ଭଦ୍ରକ ଜିଲାକୁ ୭୦ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ କରୋନା ବେଳେ ଘରକୁ ଫେରି କ୍ୱାରେଣ୍ଟାଇନ୍‌ରେ ରହିଥିଲେ । କିନ୍ତୁ ଲୁଚାଛପାରେ ବହୁ ଅଧିକ ସଂଖ୍ୟକ ପ୍ରବାସୀ ମଧ୍ୟ ଫେରିଥିଲେ ।
ଏମାନଙ୍କ ମଧ୍ୟରେ ଭଦ୍ରକ ବ୍ଲକ୍‌ର ପ୍ରାୟ ୧୩ ହଜାରରୁ ଅଧିକ ପ୍ରବାସୀ ନିଜ ନିଜ ଗ୍ରାମକୁ ଫେରିଥିଲେ । କିନ୍ତୁ ସରକାର ସେମାନଙ୍କ ପାଇଁ ସେପରି କର୍ମ ସଂସ୍ଥାନ ଯୋଗାଡ କରିପାରିନଥିଲେ । ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କର୍ମ ଦିବସ ସୃଷ୍ଟି କରାଯାଇଥିଲେ ମଧ୍ୟ ତାହା ଯଥେଷ୍ଟ ନଥିଲା ଓ ଏହାର ସଫଳ ରୂପାୟନ ହୋଇପାରିନଥିଲା । ଗ୍ରାମାଞ୍ଚଳରେ କିଛି ନେତା ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରି ସରକାରଙ୍କ ସମସ୍ତ କର୍ମ ଦିବସକୁ ହାଇଜାକ୍ କରି ନିଜେ ମାଲାମାଲ ହୋଇଥିଲେ । ପ୍ରାୟ ପ୍ରତ୍ୟେକ ସ୍ଥାନରେ ଜେସିବି ଓ ପ୍ରୋକଲିନ୍ ମେସିନ୍ ଲଗାଇ କାମ କରାଯାଇଥିଲା । କେତେକ ଜବକାର୍ଡଧାରୀଙ୍କ କାର୍ଡକୁ ଏହି ଦଲାଲମାନେ ବ୍ୟବହାର କରି ବିପୁଳ ଆୟର ଅଧିକାରୀ ହୋଇଥିଲେ । ତେଣୁ ପ୍ରବାସୀଙ୍କୁ ଏଠାରେ କାମ ମିଳିନଥିଲା । ପରିବାର ପ୍ରତିପୋଷଣ ପାଇଁ ସେମାନେ ପୁଣି ବାହାର ରାଜ୍ୟକୁ ଯିବା ଆରମ୍ଭ କରିଥିଲେ । ଅଳ୍ପ ସଂଖ୍ୟକ ପ୍ରବାସୀ ଆଉ ବାହାର ରାଜ୍ୟକୁ ନଯାଇ ଏବେ ବି ନିଜ ଗ୍ରାମରେ ରହିଛନ୍ତି । କିନ୍ତୁ ଯେଉଁ ବିପୁଳ ସଂଖ୍ୟକ ପ୍ରବାସୀ କୋଲକାତା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ କର୍ମ ସଂସ୍ଥାନ ଅନ୍ୱେଷଣରେ ପଳାଇ ଯାଇଛନ୍ତି । ସେମାନଙ୍କୁ ଏବେ ଟାର୍ଗେଟ୍ କରିଛନ୍ତି ପ୍ରାର୍ଥୀମାନେ । ପଞ୍ଚାୟତ ନିର୍ବାଚନ ମଧ୍ୟରେ ଏବେ ବ୍ୟୟବହୁଳ ହୋଇପଡିଛି । ପ୍ରାର୍ଥୀମାନେ ସମସ୍ତ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କାରଣ ସରପଞ୍ଚ ଓ ୱାର୍ଡମେମ୍ବର ନିର୍ବାଚନରେ ଗୋଟିଏ ଭୋଟ୍ କେତେ ମୂଲ୍ୟବାନ ପ୍ରାର୍ଥୀମାନେ ନିଜ ଅତୀତ ଅଭିଜ୍ଞତାରୁ ଜାଣିଛନ୍ତି । ତେଣୁ ପ୍ରବାସୀଙ୍କ ଭୋଟ୍ ହାତେଇବାକୁ ସେମାନେ କିଛି ଖର୍ଚ୍ଚ ଏ ଦିଗରେ କରିବାକୁ ପଛାଉନାହାଁନ୍ତି ।

Share This Article