ଭୁବନେଶ୍ୱର: ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଏନେଇ SRC ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।ହୀରାକୁଦ ଓ ମହାନଦୀର ଜଳସ୍ତର ନେଇ SRC ସୂଚନା ଦେଇଛନ୍ତି, ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଛି। ହେଲେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏବେ ହୀରାକୁଦକୁ ୨.୫୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨.୨୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୮.୨୩ ଫୁଟ ରହିଛି। ଡ୍ୟାମ୍ ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର କରାଯାଇଛି। ତେଣୁ ଆବଶ୍ୟକ ହେଲେ ଆଉ ଅଧିକ ଗେଟ୍ ଖୋଲାଯାଇପାରେ।
ଏସ୍ଆର୍ସି ଆହୁରି କହିଛନ୍ତି, ଏବେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅଧିକ ଗେଟ୍ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ଜଳ ପାସ୍ କରିବ। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା କରାଯାଉଛି। ଲଗାଣ ବର୍ଷା ପରେ ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ଉପରେ ଥିଲେ ବି ଜଳସ୍ତର ଖସୁଛି। ସେହିପରି ବ୍ରାହ୍ମଣୀ ନଦୀ ବିପଦ ସଙ୍କେତ ତଳେ ଥିଲେ ବି ୩ଟି ଛୋଟ ଘାଇ ହୋଇଛି।
‘ଜଳକା ବିପଦ ସଙ୍କେତ ଉପରେ ରହିଛି। କିନ୍ତୁ ବନ୍ୟା ପରିସ୍ଥିତି ନାହିଁ। ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁ ରାଜ୍ୟର ୨୧ ଜିଲ୍ଲାର ୧୨୬ ବ୍ଲକ ପ୍ରଭାବିତ ହୋଇଛି। ମୋଟ ୪ ହଜାର ୩ ଶହ ୩୪ଟି ଗାଁ ଓ ୨୯ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩ ହଜାର ୮ ଶହ ୩୯ଟି ଘର କ୍ଷତିଗ୍ରସ୍ତ ହୋଇଛି। ୧ ଲକ୍ଷ ୩୦ ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ’ ନେଇ ପ୍ରାଥମିକ ଆକଳନରୁ ତଥ୍ୟ ମିଳିଥିବା SRC କହିଛନ୍ତି।
Comment