ବେଆଇନ୍ ଖଣି କାରବାର ମାଲିକଙ୍କୁ ଜେଲ୍ ,ଆଦିବାସୀ ଓ ଦଳିତଙ୍କ ସଂରକ୍ଷଣ ଦାବି କରି ଦଳରୁ ବିଦା ହେଲେ ; ପୂର୍ବତନ ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନାଙ୍କୁ

Odisha Hot News
2 Min Read

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ମାଡି ଆସିଛି ଭୂକମ୍ପ । ବଢିପାରେ କଂଗ୍ରେସରେ କନ୍ଦଳ । ତେବେ ଗତକାଲିଏଆଇସିସି ପକ୍ଷରୁ ନୂଆ ଇସ୍ତାହାର କମିଟି ଗଠନ ହୋଇଥିଲା । ତେବେ ଏହି ଇସ୍ତାହାର କମିଟିରୁ ପୂର୍ବତନ ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନାଙ୍କୁ ବାହାର କରିଦିଆଯାଇଛି । ଏବଂ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଅଧ୍ୟକ୍ଷ ପଦରେ ବସାଇଛି ଏଆଇସିସି । ସେପଟେ ଏହି ଘଟଣା ପରେ ଆଜି ଅଧକ୍ଷ୍ୟ ଶ୍ରୀକାନ୍ତ ଜେନା ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ଏବଂ ପରୋକ୍ଷରେ ରାଜ୍ୟ କଂଗ୍ରେସ ନେତୃତ୍ୱ ଉପରେ ଖୁବ୍ ବର୍ଷିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଇସ୍ତହାର କମିଟିର ସଭାପତି ଥିବା ବେଳେ କଂଗ୍ରେସ ପାଇଁ ଏକ ମୁଖବନ୍ଧ ତିଆରି କରିଥିଲେ । ଯାହା ପିସିସି ସଭାପତିଙ୍କୁ ବିଶେଷ ସୁହାଇ ନଥିଲା । ତେବେ ସେହି ମୁଖବନ୍ଧରେ ସେ ଲେଖିଥିଲେ ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦଳିତ ଆଦିବାସୀ ଓ ପଛୁଆ ବର୍ଗଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କରାଯିବ ।
ଏହାସହ ସେ ଦ୍ୱିତୀୟ କଥା ମୁଖବନ୍ଧରେ ଲେଖିଥିଲେ ଯେ, ରାଜ୍ୟରେ ଯେଉଁ ସବୁ ବେଆଇନ୍ ଖଣି କାରବାର ଚାଲିଛି ସେଗୁଡ଼ିକୁ ଚିହ୍ନଟ କରାଯାଉ ଏବଂ ସେହି ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ସହ ସେମାନଙ୍କୁ ଜେଲ୍ ପଠାଯାଉ । କିନ୍ତୁ ଏହାକୁ ପିସିସି ମୁଖ୍ୟ ଗ୍ରହଣ କରିନଥିବା ଶ୍ରୀକାନ୍ତ କହିଛନ୍ତି । ତୃତୀୟରେ ସେ ଲେଖିଥିଲେ ଯେ, ସେନସସ୍ ଅନୁଯାୟୀ ରାଜ୍ୟରେ ଆଦିବାସୀ ଓ ଦଳିତଙ୍କ ସଂଖ୍ୟା ହେଉଛି ୩୮.୫ । ତେଣୁ ସେମାନଙ୍କ ପାଇଁ ବିଭିନ୍ନ ବର୍ଗରେ ସଂରକ୍ଷଣ ଦିଆଯାଉ । ତାହାସହିତ ଶ୍ରୀକାନ୍ତ କହିଛନ୍ତି. କଲେଜରେ ପାଠ ପଢାଠାରୁ ଆରମ୍ଭ କରି ଚାକିରି କ୍ଷେତ୍ରରେ ମଧ୍ୟ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଉ । କାରଣ ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସଂରକ୍ଷଣ କ୍ଷେତ୍ରରେ ବହୁତ ପଛୁଆ ରହିଛି । କେନ୍ଦ୍ର ସରକାରଙ୍କ ତୁଳନାରେ ମଧ୍ୟ ଓଡ଼ିଶା ବହୁତ ପଛରେ ରହିଛି । କେନ୍ଦ୍ର ସରକାର ଯେଉଁ ହାରରେ ଦଳିତଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ସେହି ହାରରେ ଓଡ଼ିଶାରେ ନାହିଁ । କିନ୍ତୁ ଏହି ସବୁ ପ୍ରସ୍ତାବ ପିସିସି ମୁଖିଆଙ୍କୁ ଭଲ ଲାଗି ନଥିଲା ବୋଲି କହିଛନ୍ତି ଶ୍ରୀକାନ୍ତ ।
ଅନ୍ୟପଟେ ରାଜ୍ୟରେ ୪୦ ବର୍ଷ ଧରି କେବଳ ଦୁଇଟି ପରିବାର ଶାସନ ଚଳାଇ ଆସୁଛନ୍ତି ବୋଲି କହି ପଟ୍ଟନାୟକ ଫ୍ୟାମିଲିକୁ ଟାର୍ଗେଟ କରିଛନ୍ତି ଶ୍ରୀକାନ୍ତ । ଏହାସହ ରାଜ୍ୟବାସୀ କଣ ଚାହାନ୍ତି ସେଥିପାଇଁ ଏକ ଜନମତ ଲୋଡ଼ିବେ ବୋଲି କହିଛନ୍ତି । ରାଜ୍ୟବାସୀଙ୍କୁ ସେ ଗାଁ ଗାଁ ବୁଲି ପଚାରିବେ ଯେ, ସେମାନେ ସେହି ପଟ୍ଟନାୟକ ଫ୍ୟାମିଲିର ଶାସନ ଚାହୁଛନ୍ତି ନାଁ ପରିବର୍ତ୍ତନ ଚାହୁଛନ୍ତି । ରାଜ୍ୟବାସୀଙ୍କ ଉତ୍ତର ପାଇଁ ପ୍ରତ୍ୟେକ ଗାଁରେ ବାକ୍ସ ବସାଯିବ ବୋଲି ସେ କହିଛନ୍ତି । ଯଦି ରାଜ୍ୟ କଂଗ୍ରେସ ଏହି ମୁଦ୍ଦାକୁ ନଧରେ ତେବେ ଆଗାମୀ ଦିନରେ ପଙ୍ଗୁ ହୋଇଯିବ ବୋଲି କହିଛନ୍ତି ଶ୍ରୀକାନ୍ତ ।

Share This Article
Leave a comment