ଭୁବନେଶ୍ୱର: ଆପଣ ଯଦି ହେଲମେଟ୍ ନ ପିନ୍ଧି ନିଜ ବାଇକ୍ ଚଳାଉଛନ୍ତି ତାହେଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ (DL) ତିନି ମାସ ପାଇଁ ସସ୍ପେଣ୍ଡ ହେବ । ରାଜ୍ୟରେ ବାଇକ୍ ଦୁର୍ଘଟଣାରେ ବୃଦ୍ଧି ହେଉଥିବାରୁ ଚିନ୍ତିତ ହୋଇ ସରକାର ଏହି ନିୟମ କଡ଼ାକଡ଼ି ଲାଗୁ କରିବାକୁ ଯାଉଛନ୍ତି ।
ଏହି ନିୟମକୁ ସମଗ୍ର ରାଜ୍ୟରେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପୋଲିସ ମୁଖିଆ (ଡିଜିପି) ଅଭୟଙ୍କୁ ଏକ ଚିଠି ଲେଖିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ । ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯିବାର ଜିଲ୍ଲାୱାରି ରିପୋର୍ଟ ସାତ ଦିନରେ ଦାଖଲ କରିବା ପାଇଁ ବି ପୋଲିସକୁ ଚିଠି ଲେଖାଯାଇଛି । ୨୦୧୯ ଓ ୨୦୨୦ ଅକ୍ଟୋବର ଯାଏଁ ହେଲମେଟ ପିନ୍ଧୁ ନ ଥିବାରୁ ଧରାପଡ଼ିଥିବା ଲୋକଙ୍କ ବିଷୟରେ ରିପୋର୍ଟ ଦେବେ ଡିଜିପି । ସୁପ୍ରିମ୍ କୋର୍ଟ କମିଟିରେ ଦାଖଲ ହେବ ଡ୍ରାଇଭିଂ ଲାଇସେନ୍ସ ସସ୍ପେନ୍ସନର ବିସ୍ତୃତ ରିପୋର୍ଟ ।
ଗତ ବର୍ଷ ଓଡ଼ିଶାରେ ସାଢ଼େ ଆଠ ଲକ୍ଷ ଲୋକ ହେଲମେଟ ଆଇନ ଉଲ୍ଲଙ୍ଘନ କରିଥିବା ଲୋକଙ୍କୁ ପୋଲିସ ଓ ଓଡିଶା ମୋଟର ଯାନ ବିଭାଗ (OMVD) ଅଧିକାରୀମାନେ ଚିହ୍ନଟ କରିଥିଲେ ।
ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୁଦନ ପାଢ଼ୀ ଡିଜିପିଙ୍କୁ ଲେଖିଥିବା ଚିଠିରେ ହେଲମେଟ ନିୟମର ଉଲ୍ଲଙ୍ଘନ କରୁଥିବା ଲୋକଙ୍କ DL ସସପେଣ୍ଡ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସକୁ ଅନୁରୋଧ କରିଛନ୍ତି । ଏହି ନିୟମର କାର୍ଯ୍ୟକାରିତା ଉପରେ ତୀକ୍ଷ୍ଣ ନଜର ରଖିବାକୁ ବି ସେ ପୋଲିସକୁ ଅନୁରୋଧ କରିଛନ୍ତି ।
Comment