ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ନିମୋନିଆରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତକାଲି ରାତି ପ୍ରାୟ ୧୨.୪୫ ମିନିଟରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର କିଂବଦନ୍ତୀ ପୁରୁଷ ଶାନ୍ତନୁ ମହାପାତ୍ର ବହୁ ଲୋକପ୍ରିୟ ତଥା ଚିରସବୁଜ ଗୀତ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି। ସେ ପ୍ରଥମ ଓଡ଼ିଆ ସଂଗୀତ ନିର୍ଦେଶକ ଭାବେ ବଲିଉଡ୍ ଗାୟକ ମହମ୍ମଦ ରଫି ଓ ଲତା ମଙ୍ଗେସକରଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରାଇଥିଲେ। ତାଙ୍କ ନିର୍ଦ୍ଦେଶନାରେ ମହମ୍ମଦ ରଫି ଗାଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ଗୀତ ‘ମୟୂରୀଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି…’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା।
ତାଙ୍କ ସଂଗୀତ ନିର୍ଦ୍ଦେଶିତ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ‘ଅରୁନ୍ଧତୀ’,‘ସୂର୍ଯ୍ୟମୁଖୀ’,‘ମେଘମୁକ୍ତି’,‘ପ୍ରିୟତମା’ ‘ଅଗ୍ନିପରୀକ୍ଷା’, ‘ଡୋରା’, ‘ଜଗାବଳିଆ’, ‘ଗୋଲାମଗିରି’, ‘ରଣଭୂମି’, ‘ପଥର ଖସୁଛି ବଡ଼ ଦେଉଳୁ’ ଅନ୍ୟତମ । ଶାନ୍ତନୁଙ୍କ ସଂଗୀତ ନିର୍ଦେଶିତ ଶେଷ ଚଳଚ୍ଚିତ୍ର ହେଉଛି ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ତୁମେ ହିଁ ସାଥୀ ମୋର’।

Comment