ନବରଙ୍ଗପୁର ଜିଲ୍ଲାର ଶ୍ରେଷ୍ଠ ୧୦୦ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଓରିଏଣ୍ଟଏସନ ପ୍ରୋଗ୍ରାମ 

Odisha Hot News
1 Min Read

ଭୁବନେଶ୍ଵର: ଆଗକୁ ମାଟ୍ରିକ ବୋର୍ଡ ପରୀକ୍ଷା ଥିବା ବେଳେ ନବରଙ୍ଗପୁର ଜିଲ୍ଲାର ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସୁପର ୧୦୦ ନାମରେ ଏକ ଅଭିନଵ ପ୍ରୟାସ କରିଛି ଜିଲ୍ଲା ଶିକ୍ଷା ବିଭାଗ। ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ମାତ୍ର ୭ ଜଣ ଏ-୧ ଗ୍ରେଡ଼ ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏ-୧ ଗ୍ରେଡ଼ ପିଲାଙ୍କ ସଂଖ୍ୟାକୁ ବଢାଇବା ଲକ୍ଷ୍ୟରେ ଜିଲ୍ଲାର ଶ୍ରେଷ୍ଠ ୧୦୦ ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଓରିଏଣ୍ଟଏସନ ପ୍ରୋଗ୍ରାମ।

ଏହି କ୍ୟାମ୍ପ ପାଇଁ ଜିଲ୍ଲାର ସମସ୍ତ ୧୦ ଟି ବ୍ଳକ ଓ ଦୁଇଟି ପୌରପାଳିକାରର ବଛା ବଛା ୧୦୨ ଜଣ ବିଦ୍ୟାର୍ଥୀଙ୍କୁ ଚୟନ କରାଯାଇଛି। ୧୦୨ ଜଣ ମାଟ୍ରିକ ପରୀକ୍ଷାର୍ଥୀ ୩ ଦିନ ଧରି ଏହି ଶିବିରରେ ରହି ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବେ। ଜିଲ୍ଲାର ବିଭିନ୍ନ ବିଷୟ ଭିତ୍ତିକ ୪୬ ଜଣ ଏହି ଶିବିରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବେ।

ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ରୂପେ ପ୍ରଶ୍ନ ଉତ୍ତର ସେଟ ବା ଲକ୍ଷ୍ୟ ମଡ୍ୟୁଲ ପ୍ରସ୍ତୁତ କରାଯାଇଛି। ଜିଲ୍ଲପାଳ ଡ଼ା ଶୁଭଙ୍କର ମହାପାତ୍ର ଏହି କାର୍ଯ୍ୟକ୍ରମର ପରିକଳ୍ପନା କରିଥବା ବେଳେ ପ୍ରଥମ ଦିନରେ ନିଜେ ୨ ଘଣ୍ଟା କ୍ଲାସ ନେଇ ପିଲାଙ୍କୁ ପାଠ ପଢ଼ାଇଥିଲେ।

ସୁପର ୧୦୦ ର ପ୍ରଥମ ପର୍ଯ୍ୟାୟ କ୍ୟାମ୍ପରେ ବିଦ୍ୟାର୍ଥୀଙ୍କ ବୌଦ୍ଧିକ ବିକାଶ ସହ ମାନସିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସୂଚନା ଦେବା ସହ ଚଳିତ ମାଟ୍ରିକ ପରୀକ୍ଷା ରେ ଜିଲ୍ଲାରୁ ଅଧିକ ସଂଖ୍ୟାରେ ଛାତ୍ର ଛାତ୍ରୀ ଏ-୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି।

Share This Article