ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଉନ୍ମୋଚିତ

Odisha Hot News
1 Min Read

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଉନ୍ମୋଚିତ ହୋଇଛି। ଏହି ଗ୍ୟାଲେରୀରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ଆଠଟି ମ୍ୟìରାଲ୍‌ ପେଣ୍ଟିଂ ରହିଛି। ମହାତ୍ମା ଗାନ୍ଧୀ କେତେ ଥର ଓଡ଼ିଶା ଆସିଥିଲେ, କେଉଁଠିକୁ ଆସିଥିଲେ, କ’ଣ କହିଥିଲେ ସେ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି।

ଗ୍ୟାଲେରୀର ମୁଖ୍ୟ ଦ୍ୱାରରେ ସାବରମତୀ ଆଶ୍ରମ ଏବଂ ଅରଟ ରଖାଯାଇଛି। କାଦୁଆ ଆଶ୍ରମର ଅବିକଳ ନକଲ କରାଯାଇ ଅରଟ ଓ ଗାନ୍ଧିଜୀଙ୍କର ପ୍ରତିମୂର୍ତ୍ତି ରଖାଯାଇଅଛି। ଗାନ୍ଧିଜୀଙ୍କର ବିଭିନ୍ନ ହିତବାଣୀ ଏବଂ ବିଭିନ୍ନ ସ୍ଥାନରେ ସେ ଦେଇଥିବା ଅଭିଭାଷଣ ଓ ଜନତାଙ୍କ ସହ ବାର୍ତ୍ତାଳାପ ସଂପର୍କିତ ପେପର କଟିଂ ମଧ୍ୟ ଏହି ଗ୍ୟାଲେରୀରେ ସ୍ଥାନ ପାଇଅଛି। ଏହି ଅବସରରେ ସଂଗ୍ରହାଳୟ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ସଂଗ୍ରହାଳୟର ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଗ୍ୟାଲେରୀର ସର୍ବାଙ୍ଗ ସୌନ୍ଦର୍ଯ୍ୟକରଣ, ପ୍ରତ୍ୟେକ ମ୍ୟìରାଲ୍‌, ତୈଳଚିତ୍ର ତଥା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ସେମାନେ ହେଲେ ବିଶିଷ୍ଟ ଗାନ୍ଧିବାଦୀ ପ୍ରହ୍ଲାଦ କୁମାର ସିଂହ, ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ଡ. ରାମହରି ଜେନା, ଡ. ସଂଗ୍ରାମ ଜେନା।

ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କର ସହଯୋଗ ଓ ପଥପ୍ରଦର୍ଶନରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଆଜି ଲୋକାର୍ପିତ ହେବାକୁ ସକ୍ଷମ ହୋଇପାରିଛି। ଏହି ଗ୍ୟାଲେରୀକୁ ଆଜି ବିଦ୍ୟାଳୟ ପିଲାମାନେ ବୁଲି ଦେଖିବା ସହ ଗାନ୍ଧିଜୀଙ୍କ ବିଷୟରେ ଜାଣି ଖୁସିବ୍ୟକ୍ତ କରିଥିଲେ।

ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ କ୍ୟୁରେଟର ଡ. ଭାରତୀ ପାଲ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article