ଓଡ଼ିଶାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

Odisha Hot News
1 Min Read

ଭୁବନେଶ୍ବର: ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଏହି ମୃତକଜଣକ ଗଞ୍ଜାମ ଜିଲ୍ଲାର ବୋଲି କୁହାଯାଇଛି। ଏବେ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ମୃତକ ଜଣେ ୫୦ବର୍ଷିୟ ପୁରୁଷ ବୋଲି  ସୂଚନା ମିଳିଛି। ସେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କର ପ୍ରାଣହାନି ଘଟିଛି।କରୋନା ବ୍ୟତୀତ ସେ ମଧୁମେହ, ହାଇପରଟେନସନ୍, କିଡନି ଓ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି କୁହାଯାଇଛି।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩୦୧ରେ ପହଞ୍ଚିଛି। ତେବେ ଏଯାବତ୍ ୨୫୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୧ଜଣଙ୍କର ମୃତ୍ୟୁ ଘଟିଛି। କରୋନା ସଂକ୍ରମଣ ଥାଇ ଅନ୍ୟ ରୋଗରେ ୩ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share This Article