କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି :‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

Odisha Hot News
1 Min Read

ଭୁବନେଶ୍ୱର : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି। ରବିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏହି ଗୋଟିଏ ମାତ୍ର ପ୍ରସ୍ତାବକୁ ପାରିତ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌ ଏନେଇ ସୂଚନା ଦେଇଛନ୍ତି।

କ୍ୟାବିନେଟ୍ ବୈଠକର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ‘ବନ୍ଦେ ଉତ୍କଳ ଜନନୀ ହେଉଛି ଓଡ଼ିଆ ଜାତିର ସ୍ୱାଭିମାନର ସଙ୍ଗୀତ ଏବଂ କାନ୍ତକବିଙ୍କର ଏହି କାଳଜୟୀ ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କ ଭାବନାରେ ରହିଛି। ଏହି ସଙ୍ଗୀତ ଗାନ ଲାଗି ସ୍ବର,ଶୈଳୀ ଓ ଅବଧି ନିର୍ଦ୍ଧାରଣ ଲାଗି ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ବ ଦିଆଯାଇଛି। ଏହାକୁ ପ୍ରତିଟି ଶିକ୍ଷାନୁଷ୍ଠାନରେ ଗାନ କରାଯିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଥିବା ନେଇ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏହାକୁ ପାଠ୍ୟକ୍ରମଭୁକ୍ତ କରାଯିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ସଙ୍ଗୀତ ଗାନର ଆରମ୍ଭରୁ ଶେଷ ସମସ୍ତଙ୍କୁ ଛିଡ଼ା ହେବାକୁ କୁହାଯାଇଛି। ସରକାରୀ କାର୍ଯ୍ୟକ୍ରମରେ ବି  ଏହାକୁ ଗାନ କରିବାକୁ ନିର୍ଦେଶ ଦିଆଯାଇଛି।

Share This Article