ସଙ୍ଗରୋଧ କେନ୍ଦ୍ରରେ ଥିବା ଯୁବକଙ୍କର ଡାକ୍ତରଖାନାରେ ମୃତ୍ୟୁ

Odisha Hot News
1 Min Read

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଖଇରା ଥାନା ଜଳଦା ନୋଡାଲ ବିଦ୍ୟାଳୟର କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ଯୁବକର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଖଇରା ଥାନା ଜଳଦା ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ବିପିନି ବିହାରି ମଳିକ ମୁମ୍ବାଇରେ ଗତ କିଛି ବର୍ଷ ଧରି କାମ କରୁଥିଲେ । ଗତ ୨୭ ତାରିଖରେ ବିପିନ ତାଙ୍କ ବଡ ଭାଇଙ୍କ ସହିତ ମୁମ୍ବାଇରୁ ଫେରି ୨୯ରେ ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ ଷ୍ଟେସନରେ ପହଞ୍ଚିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ।

ଗତକାଲି ବିପିନ ନିଜ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିବା ଲାଗି ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲା। ହେଲେ ଆମ୍ବୁଲାନ୍ସ ସେଠାକୁ ଆସି ନ ଥିଲା। ଏହାପରେ ବିପିନଙ୍କୁ ସ୍ଥାନୀୟ ଲୋକେ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ବିପିନଙ୍କୁ ଦୁଇଟି ଇଞ୍ଜେକସନ୍ ଦେଇଥିଲେ। ଏହାପରେ ବିପିନ ବିହାରୀ ମଲ୍ଲିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ଚିକିତ୍ସା ଅବହେଳାର ଅଭିଯୋଗ ଆଣି ଲୋକେ ପାଟିତୁଣ୍ଡ କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏହାପରେ ଘଟଣାସ୍ଥଳରେ ସୋର ଥାନା ପୁଲିସ୍ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ବନ୍ଦୋବସ୍ତ କରୁଥିବା ଜଣାଯାଇଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Share This Article