ଆଜି ସନ୍ଧ୍ୟା ୫:୩୦ରେ ଓଡ଼ିଆ ଗାଇବେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ

Odisha Hot News
3 Min Read

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ କମ୍ପିବ ଓଡ଼ିଶା । ସାରା ରାଜ୍ୟରେ ଶୁଭିବ ‘ବନ୍ଦେ ଉତ୍କଳ ଜନନୀ’ ଗୀତ । ଶନିବାର ସନ୍ଧ୍ୟା ୫:୩୦ରେ ସାମାଜିକ ଦୂରତା ନିୟମ ମାନି ସମ ସ୍ୱରରେ ଗାଁରୁ ସହର ସବୁଠି ଶୁଭିବ ସୁନ୍ଦର ଦେଶାତ୍ମବୋଧକ ଗୀତ ‘ବନ୍ଦେ ଉତ୍କଳ ଜନନୀ’ (Bande Utkala Janani)। ମୁଖ୍ୟ ମନ୍ତ୍ରୀଙ୍କ ଆହ୍ୱାନରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ନିଭାଉଥିବା ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ହେବ ସାରା ରାଜ୍ୟ । ଓଡ଼ିଶାର ମାଟି, ପାଣି ଓ ପବନକୁ ନେଇ ରଚିତ ଏହି ଗୀତଟିକୁ କରୋନା ଯୋଦ୍ଧାଙ୍କ ପାଇଁ ସାରା ରାଜ୍ୟ ଗାଇବ। ଏହାକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ସମସ୍ତେ ଏକାଠି ଏକ ସ୍ୱରରେ ସାମାଜିକ ଦୂରତା ରଖି ଗାଇବେ । ଗୀତଟି ଗାଇବା ବେଳେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

କରୋନା ମୁକାବିଲାରେ ଡାକ୍ତର, ନର୍ସ, ଅଙ୍ଗନବାଡ଼ି ଆଶାକର୍ମୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀ, ପୋଲିସ, ଶିକ୍ଷକ ଓ ସରପଞ୍ଚ ସମେତ ସେହି ସବୁ ଲୋକ ଯେଉଁମାନଙ୍କ ନିରନ୍ତର ଉଦ୍ୟମରେ କରୋନା ମୁକବିଲା କରିବାରେ ରାଜ୍ୟ ସଫଳ ହୋଇଛି ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟ ମନ୍ତ୍ରୀଙ୍କ ଆହ୍ୱାନରେ ସବୁ ରାଜନୈତିକ ଦଳ ବି ସାମିଲ ହେବାକୁ ସମ୍ମତି ଜଣାଇଛନ୍ତି । ଗତ କାଲି ମୁଖ୍ୟ ମନ୍ତ୍ରୀ ପିସିସି ସଭାପତି, ରାଜ୍ୟ ବିଜେପି ସଭାପତି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ମୁଖିଆଙ୍କ ସହିତ ଏ ନେଇ ଫୋନ ଯୋଗେ କଥା ହୋଇଛନ୍ତି । ସମସ୍ତେ ସହମତି ଜଣାଇବା ସହ ସହଭାଗୀତା ଦେବେ ବୋଲି କହିଛନ୍ତି ।

‘‘ରାଜ୍ୟ ବାସୀ କରୋନାକୁ ମୁକାବିଲା କରୁଥିବା ବେଳେ କରୋନ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ଦେଶ ଭିତରେ ରହୁଥିବା ଓଡ଼ିଆମାନେ କୋଭିଡ୍ ଯୋଦ୍ଧାମାନଙ୍କ ମନୋବଳ ବୃଦ୍ଧି ପାଇଁ ‘ବନ୍ଦେ ଉତ୍କଳ ଜନନୀ’କୁ ସାମୁହିକ ଗାନ କରିବେ । ଏହା ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ସହ ବିଜେଡିର ୩୦ଟି ସାଙ୍ଗଠନିକ ଜିଲ୍ଲାରେ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ୩୦ଟି ଜିଲ୍ଲା ସହ ଦୁଇଟି ସାଙ୍ଗଠନିକ ଜିଲ୍ଲା ସହ ସମସ୍ତ ଆଇକନିକ ସ୍ତାନରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯିବ,’’ କହିଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ।
ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି: ‘‘ଦେଶ ମାତୄକାର ବନ୍ଦନ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସ୍ୱାଗତ କରିଛନ୍ତି । ଆମେ ସମସ୍ତେ ସହମତ ଅଛୁ । ସହଭାଗୀତା ରହିବ । ଆଗାମୀ ଦିନରେ ଏହା ଭଲ ପ୍ରେରଣା ଯୋଗାଇବ।’’

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି: ‘‘କରୋନା ଓ ବାତ୍ୟା ପାଇଁ ଓଡ଼ିଶା ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି । ଗତ ୨୦ ବର୍ଷ ଭିତରେ ବିରୋଧୀଙ୍କୁ ପ୍ରଥମ ଥର ପାଇଁ ନବୀନ ବିଶ୍ଵାସକୁ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ବିରୋଧୀ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି । ଏହା ସ୍ୱାଗତଯୋଗ୍ୟ । ଆଶା କରେ ମୁଖ୍ୟ ମନ୍ତ୍ରୀ ଆଗକୁ ମଧ ବିରୋଧୀ ଦଲଙ୍କ ସହଯୋଗ ଲୋଡିବେ ।’

Share This Article