ଅମ୍ଫାନ’ ମୁକାବିଲା ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶନିବାର ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିସାବାସୀ ମହାବାତ୍ୟଠାରୁ ଆରମ୍ଭ କରି ଫନି, ତିତ୍‌ଲି, ବୁଲ୍‌ବୁଲ୍‌, ଫାଇଲିନ୍‌ ଓ ହୁଡ୍‌ହୁଡ୍‌ର ମୁକାବିଲା ଆସିଛନ୍ତି। ‘ଅମ୍ଫାନ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ଏହାବ୍ୟତୀତ ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗକୁ ବାତ୍ୟା ସମୟରେ ସଜାଗ ରହିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ବାତ୍ୟା ପରେ ରାସ୍ତା, ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥାକୁ ସ୍ବାଭାବିକ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି

ବାତ୍ୟା ଯୋଗୁ ଅଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲ୍ଲାରେ ଏକ ଲକ୍ଷ ହେକ୍ଟରର ରବି ଫସଲ ଓ ପନିପରିବା ପ୍ରଭାବିତ ହେବାର ଆଶଙ୍କା ରହିଥିବା ‌ହେତୁ ଚାଷୀମାନଙ୍କୁ ଏ ସଂପର୍କରେ ବ୍ୟାପକ ସଚେତନ କରାଇବାକୁ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା।

ବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ ୫୬୭ ବାତ୍ୟା ଆଶ୍ରୟସ୍ଥଳୀ ଓ ୭ ହଜାର ପକ୍କା ଘର ପ୍ରସ୍ତୁତ କରାଯାଇଛି। ଏହାସହିତ ୩ଟି ଏନ୍‌ଡିଆର୍‌ଫ, ୧୨ଟି ଓଡ୍ରାଫ୍‌ ଟିମ୍ ଓ ୩୫୫ ୟୁନିଟ୍‌ ଅଗ୍ନିଶମ ସେବା ବାହିନୀ ମୁତୟନ କରାଯାଇଛି ବୋଲି‌ ବୋଲି ବୈଠକରେ ଉପସ୍ଥିତ ଥିବା ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ଶ୍ରୀ ପ୍ରଦୀପ ଜେନା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନିକଟରେ ପୂର୍ବାନୁମାନ କରାଯାଇ କୁହାଯାଇଛି ଯେ ମେ ୧୮ରୁ ଦୁଇଟି ସ୍ଥାନରେ ବର୍ଷା ହେବା ସହ ୧୯ ଓ ୨୦ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ।

Share This Article