ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି। ସେବାପକ୍ଷ ଅବସରରେ ଆୟୋଜିତ ହେଉଥିବା ଏହି ପର୍ବରେ ଯୁବ ସମାବେଶକୁ ସମ୍ବୋଧିତ କରିବେ ମୋଦୀ। ଏଥିସହିତ ଓଡ଼ିଶା ସମେତ ସମଗ୍ର ଦେଶବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ଭେଟି ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ନେଇ ମନ୍ତ୍ରୀ, ବିଧାୟକମାନେ ୨ ଦିନ ହେଲା ଡେରା ପକାଇ ତୁହାକୁତୁହା ସମୀକ୍ଷା କରୁଛନ୍ତି। ମୁଖ୍ୟ ସଚିବଙ୍କ ସହିତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଯେମିତି ସଫଳତାର ସହ ଶେଷ ହେବ ସେଥି ପାଇଁ ରାଜ୍ୟ ସରକାର ସବୁ ଜୋର୍ ଲଗାଇ ଦେଇଛନ୍ତି।
ଶନିବାର ସକାଳ ୯ଟା ୨୦ ମିନିଟ୍ରେ ପ୍ରଧାନମନ୍ତ୍ରୀ ମୋଦୀ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ବାହାରି ଦିନ ୧୧ଟା ୧୦ ମିନିଟ୍ରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ ଏବଂ ସେଠାରୁ ୨ କିମି ଲମ୍ବା ରୋଡ୍ ସୋ’ରେ ସାମିଲ ହେବେ। ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ବାରିକେଡ୍ ଅପରପାର୍ଶ୍ବରେ ୧୦ ହଜାରୁ ଅଧିକ ଲୋକ ଓ ବିଭିନ୍ନ ସାଂସ୍କୃତିକ ଦଳ ରହିବେ। ଅମଲିପାଲିସ୍ଥିତ ସଭାସ୍ଥଳରେ ପହଞ୍ଚିବା ପରେ ସାଢ଼େ ୧୧ଟାରୁ ୧୧ଟା ୩୫ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ ଭାଷଣ ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ବଟନ୍ ଚିପି ଦେଶର ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପ, ସମ୍ବଲପୁର ସିଟି ଓ ସର୍ଲା ମଧ୍ୟରେ ରେଳ ଫ୍ଲାଏଓଭର ପ୍ରକଳ୍ପ, ଭୁବନେଶ୍ବରରେ ସେମି କଣ୍ଡକ୍ଟର ଓ ଇଏସ୍ଡିଏମ୍ ପାର୍କ ପ୍ରତିଷ୍ଠା ପ୍ରକଳ୍ପର ଶିଳାନ୍ୟାସ କରିବେ। ସମଗ୍ର ଦେଶରେ ବିଏସ୍ଏନ୍ଏଲ୍ ୪ଜି ସେବା ଆରମ୍ଭ ପ୍ରକଳ୍ପ, ବୈଷୟିକ ଶିକ୍ଷା କ୍ଷେତ୍ରରେ ବହୁବିଧ ଶିକ୍ଷା ଓ ଗବେଷଣା ବିକାଶ ଯୋଜନା (ଏମ୍ଏଇଆର୍ଆଇଟିଇ), ରାଜ୍ୟ ସରକାରଙ୍କ ବିଶ୍ବସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିବେ।
ଆଜି ଆସୁଛନ୍ତି ମୋଦୀ: ଝାରସୁଗୁଡ଼ା ବିମାନବନ୍ଦରରୁ ଜେଲ୍ ଛକ ପର୍ଯ୍ୟନ୍ତ ରୋଡ୍ ସୋ

Comment