ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Odisha Hot News
2 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ, ପାଚିକା ମହାସଂଘର ନାକଟିଦେଉଳ ବ୍ଲକ ଶାଖା ପକ୍ଷରୁ ଆଜି ବିକ୍ଷୋଭ ଶୋଭାଯାତ୍ରା କରାଯିବା ସହ 7 ଦଫା ଦାବୀ ସମ୍ପର୍କିତ ଏକ ସ୍ମାରକ ପ‌ତ୍ର ମୁଖ୍ୟମନ୍ତ୍ରୀଙ୍କୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ, ପାଚିକା ମହାସଂଘ ର ରାଜ୍ୟ ସମ୍ପାଦିକା ଦୀପାଞ୍ଜଳି ଯାଦବ ନେତୃତ୍ବରେ ଆଜି ସକାଳ ୯ଟା ସମୟରେ ବ୍ଳକର ଶତାଧିକ ପାଚକ ଓ ପାଚିକା ନାକଟିଦେଉଳ ଶିବ ମନ୍ଦିର ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ମାନ ଦେଇ ଜଗନ୍ନାଥ ପ୍ରସାଦ ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ।

ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ପାରିଶ୍ରମିକ ଦିନସାରା ପାଇଁ ମାତ୍ର 100 ଟଙ୍କା ପଡୁଅଛି। ତେଣୁ ବାସ୍ତବରେ ଉକ୍ତ ପାରିଶ୍ରମିକ ଭୋକ ମେଣ୍ଟାଇବାରେ ସହାୟକ ହେଉନାହିଁ। ଏଣୁ ସରକାର ଘୋଷଣା କରିଥିବା ପାରିଶ୍ରମିକର ପୁନଃ ବିଚାର କରି ମାସିକ 3000 ଟଙ୍କା ବଦଳରେ ଦୈନିକ ସର୍ବନିମ୍ନ ମଜୁରୀ 452 ଟଙ୍କା ହିସାବରେ ମାସିକ 13,560 ଟଙ୍କା ଦିଆଯାଉ।

ପ୍ରକାଶ ଥାଉକି ପାଚକ ପାଚିକା ମା ମାନଙ୍କର ପାରିଶ୍ରମିକ 2018 ମସିହାରେ 2000 ଟଙ୍କା ଘୋଷଣା କରିଥିଲେ ମଧ୍ୟ ଅଦ୍ୟାବଧି ମାତ୍ର 1400 ଟଙ୍କା ଦିଆଯାଉଥିବା ପାରିଶ୍ରମିକର ବକେୟା ପାରିଶ୍ରମିକ ଟଙ୍କା 36 ହଜାର ଟଙ୍କା ସହ 7 ଦଫା ଦାବି କୁ ପୂରଣ କରି ମା ମାନଙ୍କର ଭୋକ ମେଣ୍ଟାଇବାରେ ସହାୟକ ହେବାପାଇଁ ଦାବୀ ପତ୍ରରେ ଉଲ୍ଲେଖ ରହିଛି।ଏହା ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ବାଇଁ, ରାଜ୍ୟ ମୁଖ୍ୟ ସଂଯୋଜକ ନିରଞ୍ଜନ ପାତ୍ର ଓ ପ୍ରଦୀପ ନାଏକ ଯୋଗଦେଇ ରାଜ୍ୟ ସରକାରଙ୍କ ପାଚକ ପାଚିକା ମାରଣ ନୀତି କୁ ତୀବ୍ର ସମାଲୋଚନା କରି ସଂଘର ଦାବୀ ଗୁଡିକୁ ସରକାର ଶୀଘ୍ର ପୁରଣ କରିବାକୁ ଦାବୀ କରିଥିଲେ।

Share This Article