ବାଣପୁର କୋର୍ଟ ପରିସରରେ ହାତାହାତି ହେଲେ ସ୍ୱାମୀ, ସ୍ତ୍ରୀ: ମାମଲା ରୁଜୁ କଲା ପୋଲିସ

Odisha Hot News
1 Min Read

ବାଣପୁର: ଆଜି ବାଣପୁର କୋର୍ଟ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। କୋର୍ଟ ପରିସରରେ ସ୍ୱାମୀ ଓ ସ୍ତ୍ରୀ ହାତାହାତି ହୋଇଛନ୍ତି। ଏନେଇ ବାଣପୁର ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଆଜି ବାଣପୁର କୋର୍ଟରେ ପରିବାର ଅଦାଲତ ଜାରି ରହିଥିବା ବେଳେ ବାଣପୁର ଥାନା ଭୀମପୁର ଗ୍ରାମର ସ୍ୱାମୀ ଦେବୀଦତ୍ତ ସାମନ୍ତରାୟ ଓ ସ୍ତ୍ରୀ ସୁଜାତା ସାମନ୍ତରାୟଙ୍କ ଛାଡ଼ପତ୍ର ମାମଲା ବିଚାରଧୀନ ଥିବା ବେଳେ ଆଜି ଉଭୟଙ୍କ ଶୁଣାଣି ଥିଲା। ତେବେ ଶୁଣାଣି ସରିବା ପରେ କୋର୍ଟ ପରିସରରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ହାତାହାତି ହୋଇଥିବାର ଦେଖିବାକୁ ମିଳିଥିଲା। ଏପରିକି ରକ୍ତାକ୍ତ ଅବସ୍ଥାରେ ସ୍ତ୍ରୀ ସୁଜାତା ମେଡିକାଲରେ ଭର୍ତ୍ତି ହୋଇଥିଲେ।

ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଦେବୀଦତ୍ତ ତାଙ୍କ ସମ୍ପର୍କୀୟଙ୍କ ସମେତ ସୁଜାତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ସୁଜାତା ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅନୁରୂପ ଭାବେ ସମାନ ଅଭିଯୋଗ ଦେବୀଦତ୍ତ ସୁଜାତାଙ୍କ ବିରୁଦ୍ଧରେ କରିଛନ୍ତି। ଉଭୟ ଅଭିଯୋଗକୁ ଆଧାର କରି ପୋଲିସ କେସ ନମ୍ବର ୧୦୮/୨୫ ଏବଂ ୧୦୯/୨୫ ରେ ଦୁଇ ଗୋଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ତେବେ କୋର୍ଟ ପରିସରରେ ବାରମ୍ବାର ଏହିପରି ଘଟଣା ଘଟୁଥିବାରୁ ଏହାର ସୁରକ୍ଷା ବଢାଇବା ପାଇଁ ବାଣପୁର ଓକିଲ ସଂଘ ଦାବି କରିଛି।

Share This Article