ଏଏସ୍ଆଇର ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ

Odisha Hot News
1 Min Read

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଏଏସ୍ଆଇ ର ମହାନିର୍ଦ୍ଦେଶକ ଡ. ୟଦୁବୀର ସିଂହ ରାୱତଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ। ଏହି ଅବସରରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର କାର୍ଯ୍ୟ ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ନେଇ ମୁଖ୍ୟ ପ୍ରଶାସକ ଏଏସ୍ଆଇ କୁ ଧନ୍ୟବାଦ ଅର୍ପଣ କରିବା ସହ ଠିକଣା ସମୟରେ କାର୍ଯ୍ୟ ସମାପନ ନେଇ ଗୁରୁତ୍ବାରୋପ କରିଥିଲେ। ସେହିପରି ପାର୍ଶ୍ବ ମନ୍ଦିର ଗୁଡିକ ମରାମତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ନାଟମଣ୍ଡପରେ ଏ.ସି. ବ୍ୟବସ୍ଥା, ଶ୍ରୀମନ୍ଦିରର ଆଲୋକିକରଣ ଏବଂ ଅନ୍ୟାନ୍ୟ ମରାମତି ତଥା ରୁପା ଏବଂ ସୁନା ଛାଉଣି କାର୍ଯ୍ଯ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏସବୁ କାର୍ଯ୍ୟ ସଂପାଦନ ବେଳେ ସାଂସ୍କୃତିକ ବୈଶିଷ୍ଟ୍ୟ ପ୍ରତି ଧ୍ୟାନ ଦିଆଯିବା ନେଇ ଏଏସଆଇ ପକ୍ଷରୁ ପରାମର୍ଶ ଆସିଥିଲା।

ଏହି ଆଲୋଚନା ବେଳେ ଏଏସ୍ଆଇ ଉପମହାନିର୍ଦ୍ଦେଶକ (ସଂରକ୍ଷଣ) ଡ. ଜାହାନୱିଜ୍ ଶର୍ମା ଉପସ୍ଥିତ ଥିଲେ। ଏହି ଗସ୍ତ ସମୟରେ ମୁଖ୍ୟ ପ୍ରଶାସକ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଂକୁ ଭେଟି ରଥଯାତ୍ରାକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକା ଭୁକ୍ତ କରିବା ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲେ।

Share This Article