ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ବାସ୍ତବ’ର ମହୁରତ

Odisha Hot News
2 Min Read

ଭୁବନେଶ୍ଵର: ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ବାସ୍ତବ’ର ମହୁରତ ଅନୁଷ୍ଠିତ ହୋଇ ଯାଇଛି। ଭୁବନେଶ୍ୱରସ୍ଥିତ ରୟାଲ ସୁଟସ ହୋଟେଲରେ ଆୟୋଜିତ ଏହି ବର୍ଣାଢ୍ୟ ଉତ୍ସବରେ ବଦ୍ରୀନାଥ ପଟ୍ଟନାୟକ କ୍ଲାପ ଦେଇ ଵିଧିବଦ୍ଧ ଭାବେ ଚଳଚ୍ଚିତ୍ରର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଚଳଚ୍ଚିତ୍ରର ସମସ୍ତ କଳାକାର ଓ କଳାକୁଶଳୀଙ୍କ ସମେତ ବହୁ ଜ୍ଞାନୀ ଗୁଣି ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବନବାସ ପଟ୍ଟନାୟକ, ସ୍ଵର୍ଣ୍ଣପ୍ରଭା ପଟ୍ଟନାୟକ, ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଡ. ଅଶୋକ ପଣ୍ଡା, ଡ. ଶଶାଙ୍କ ଚୂଡ଼ାମଣି, ଅଞ୍ଜନା ମହାପାତ୍ର, ପୂର୍ଣଚନ୍ଦ୍ର ରାଓ, ଜ୍ୟୋତିର୍ବିଦ ପ୍ରମୋଦ ପାତ୍ର, ବରିଷ୍ଠ ଆଡ଼ଭୋକେଟ ବନ ଜେନା ଏବଂ ଦୁର୍ଗା ସାମନ୍ତରାୟ।

ଶୀର୍ଷକରୁ ଯାହା ଜଣା ପଡୁଛି ‘ବାସ୍ତବ’ ଚଳଚ୍ଚିତ୍ର ଏକ ବାସ୍ତବଧର୍ମୀ କାହାଣୀ ଉପରେ ଆଧାରିତ। ବନସ୍ଵର୍ଣ୍ଣ ଟେଲିଭିଜନ ନିବେଦିତ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଅଛନ୍ତି ଡ. ବଦ୍ରୀନାଥ ପଟ୍ଟନାୟକ। ସହକାରୀ ପ୍ରଯୋଜନାରେ ଅଛନ୍ତି ନିବେଦିତା ପଟ୍ଟନାୟକ।

ପ୍ରଯୋଜନା ସଂସ୍ଥା ପକ୍ଷରୁ ତୁମେ ମୋ ଶଙ୍ଖା ‘ତୁମେ ମୋ ସିନ୍ଦୂର’ ଓ ‘ତୁମେ ମୋ ଭାଲେନଟାଇନ’ ଶୀର୍ଷକରେ ଆଗରୁ ଦୁଇଟି ଚଳଚ୍ଚିତ୍ର ନିର୍ମିତ ହୋଇ ଯଥେଷ୍ଟ ସଫଳତା ହାସଲ କରିଥିଲା। ଏହା ବନଶ୍ରୀ ଟେଲିଭିଜନ ନିବେଦିତ ତୃତୀୟ ଚଳଚ୍ଚିତ୍ର। ଏହାର କାହାଣୀ, ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୂବୁନ ଯୋଡି। ଅରୁଣ ମନ୍ତ୍ରୀ ଓ ନିହାର ରଞ୍ଜନଙ୍କ ରଚିତ ଗୀତରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅର୍ପିତା ଓ ଅନୁରାଧା।

ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାଶ। ସଞ୍ଜୟ ମହାକୁଳ ସଂଳାପ ରଚନା କରିଥିବା ବେଳେ ନୃତ୍ୟନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୂବୁନ। ପ୍ରଚାର ମୁଖ୍ୟ ରହିଛନ୍ତି ହରପ୍ରସାଦ ମହାପାତ୍ର।
‘ବାସ୍ତବ’ରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ତୁଷାର ବେଦୀ (ମୁମ୍ବାଇ)। ସେ ସଂଖ୍ୟାଧିକ ହିନ୍ଦୀ ଧାରାବାହିକରେ ଅଭିନୟ କରିଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ଆନିମଲ’ ପାଇଁ ସେ ବେଶ ଚର୍ଚ୍ଚିତ। ଏହା ତାଙ୍କର ପ୍ରଥମ ଓଡ଼ିଆ ସିନେମା। ଏହି ସିନେମାରେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଅଙ୍କିତା ଦାଶ। ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ରବି ମିଶ୍ର, ପ୍ରତିଭା ପଣ୍ଡା, ତପି ମିଶ୍ର, ମିଟୁ ମିଥୁନ, ରତନ ମେହେର, ଟନିଆ ଭାଇ, ସୋନାଲି ବିଜୟ ଓ ଧୋନି ପ୍ରମୁଖ କଳାକାର। ‘ବାସ୍ତବ’ ଫେବୃଆରୀ 26 ତାରିଖରେ ଫ୍ଲୋରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Share This Article