ପୁଣି ରାଜନୀତିକୁ ଫେରିଲା ନବ ଦାସ ହତ୍ୟାକାଣ୍ଡ, ବିଜେପି ବିଜେଡି କାଦୁଅ ଫିଙ୍ଗା

Odisha Hot News
2 Min Read

ଭୁବନେଶ୍ବର: ବିଜେଡିର ଟାଣୁଆ ନେତା ନବ ଦାସ ହତ୍ୟାକାଣ୍ଡକୁ ଆଉ କିଛି ଦିନ ପରେ ଦୁଇ ବର୍ଷ ପୁରଣ କରିବ। ୨୯ ଜାନୁଆରୀ ୨୦୨୩ରେ ତାଙ୍କୁ ହତ୍ୟା କରାଯାଇଥିଲା। ଯାହା ସେତେବେଳେ ଓଡିଶା କାହିଁକି ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। କାରଣ ହତ୍ୟା ବେଳେ ସେ ଓଡିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ। ମନ୍ତ୍ରୀଙ୍କୁ ଖୋଲମଖୋଲ ଗୁଳି କରିବା ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ବର୍ତ୍ତମାନ ଏହାକୁ ନେଇ ଓଡିଶାର ରାଜନୀତିରେ ପୁଣି ଥରେ କାଦୁଇ ଫିଙ୍ଗା ଆରମ୍ଭ ହୋଇଯାଇଛି। ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଏବଂ ତାଙ୍କ ଭାଇ ବିଶାଳ ଦାସଙ୍କ ସହିତ ବିଜେପି ନେତା ଆରୋପ ପ୍ରତ୍ୟାରୋପ କରିବାରେ ଲାଗିଛନ୍ତି। ଦୀପାଳି କିରିମିରା ପଞ୍ଚାୟତ ସମିତ ଅଧ୍ୟକ୍ଷା ଅନାସ୍ତା ଉପରେ ବିଜେପିକୁ ଟାର୍ଗେଟ କରିବା ପରେ ଏହି ବିବାଦ ସୁତ୍ରପାତ ହୋଇଛି।

କିରିମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନାସ୍ତା ଭୋଟିଂକୁ ବିଜେପି ଷଢଯନ୍ତ୍ର କରି ବନ୍ଦ କରିଦେଲା ବୋଲି କହିବା ପରେ ଉତକ୍ଷିପ୍ତ ହୋଇପଡିଛନ୍ତି ଦଳର ନେତା। ସେମାନେ ସିଧା ଦୀପାଳିଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ଦୀପାଳି ତାଙ୍କ ବାପାଙ୍କ ହତ୍ୟାକାଣ୍ଡ ଉପରେ କାହିଁକି ଚୁପ ବସିଛନ୍ତି। ସେ ସିବିଆଇ ତଦନ୍ତ କରାଯାଉ ବୋଲି କାହିଁକି ଦାବୀ କରୁ ନାହାଁନ୍ତି।

ଏହାପରେ ଦୀପାଳି ସେହିପରି କହିଲେ ଯେ, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ, ସେ କଣ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରିବେ କି? ମୋ ପରିବାର ପଛରେ ସେମାନେ ସହଯୋଗ କରିପାରିବେ କି ବୋଲି ପ୍ରଶ୍ନ କରିଥିଲେ। ମୁଁ ଚାହୁଁଛି ମୋ ବାପାର ହତ୍ୟା ଉପରୁ ପ୍ରକୃତ ଘଟଣା ପଦାକୁ ଆସୁ। ତେଣୁ ସିବିଆଇ ତଦନ୍ତ କରୁ ବୋଲି ଦୀପାଳି ଗଣମାଧ୍ୟମକୁ କହିଛନ୍ତି।

ଏହାପରେ ବିଧାୟକ ବାବୁ ସିଂ ତାହାର ଜବାବ ଦେଇ କହିଛନ୍ତି ଯେ, ଯଦି ଦୀପାଳି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହା ଦାବୀ କରିବେ ତେବେ ସେ ଆସନ୍ତୁ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେ ସିବିଆଇ ତଦନ୍ତ ହୋଇ ବୋଲି ଜଣାନ୍ତୁ। ଯଦି କହିବେ ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନେଇଯିବି ବୋଲି ବାବୁ ସିଂ ସିଧା ଗଣମାଧ୍ୟମରେ ସୂଚନା ଦେଇଥିଲେ।

ଏହାର ଆଉ ଏକ ପାଦ ଆଗକୁ ଯାଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, କେବଳ ଗଣମାଧ୍ୟମରେ ଦୀପାଳି କହିଦେଲେ ହେବ ନାହିଁ। ସେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଦିଅନ୍ତୁ। ଏହାପରେ ମୁଖ୍ୟମନ୍ତ୍ରୀ ବିଚାର କରିବେ ତାହା ସିବିଆଇ ତଦନ୍ତ ହେବ କି ନାହିଁ। ଗଣମାଧ୍ୟମରେ କହିଦେଲେ ସିବିଆଇ ତଦନ୍ତ ହୁଏ ନାହିଁ ବୋଲି ମନ୍ତ୍ରୀ ପୃଥୀରାଜ କହିଛନ୍ତି। ଏହାକୁ ନେଇ ବର୍ତ୍ତମାନ ଓଡିଶା ରାଜନୀତି ବେଶ ସରଗରମ ହୋଇପଡିଛି।

Share This Article