ଭୁବନେଶ୍ବରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରି କଣ କହିଲେ ପ୍ରଧାନମନ୍ତ୍ରୀ ମୋଦି

Odisha Hot News
4 Min Read

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦ୍‌ଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନଙ୍କୁ ଓ ଭାରତୀୟ ପ୍ରବାସୀମାନଙ୍କୁ ସେ ସ୍ଵାଗତ କରିଥିଲେ। ଏହି ଉତ୍ସବରେ ସ୍ବାଗତ ସଂଗୀତ ଗାନ କରିଥିବା ଗ୍ରାମି ପୁରସ୍କାର ବିଜେତା ରିକି କେଜ ଓ ତାଙ୍କ ଦଳକୁ ପ୍ରଶଂସା କରିଥିଲେ। ସେ ଆଶା ବ୍ୟକ୍ତ କରିଥିଲେ ଯେ ଏହା ଭବିଷ୍ୟତରେ ପ୍ରବାସୀ ଭାରତୀୟ ସମ୍ମଳନୀଗୁଡ଼ିକରେ ବୋଲାଯିବ।

ପ୍ରଧାନମନ୍ତ୍ରୀ ଟ୍ରିନିଡାଡ୍ ଓ ଟୋବାଗୋର ରାଷ୍ଟ୍ରପତି ଶ୍ରୀମତୀ କ୍ରିଷ୍ଟିନ କାର୍ଲା କାଙ୍ଗାଲୁଙ୍କୁ ତାଙ୍କ ଭାବପୂର୍ଣ୍ଣ ଭିଡିଓ ସନ୍ଦେଶ ପାଇଁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ  ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ମେଳା ଓ ମହୋତ୍ସବ ବିଷୟରେ କହିଥିଲେ। ଯେଉଁଥିରେ ମହାକୁମ୍ଭ, ମକର ସଂକ୍ରାନ୍ତି, ଲୋହଡ଼ି, ପୋଙ୍ଗଲ ଓ ମାଘ ବିହୁ ପ୍ରଭୃତି ସଂପର୍କରେ ସେ ଅବଗତ କରାଇଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ୧୯୧୫ରେ ଭାରତକୁ ଫେରିବା ସ୍ମୃତି ଉଲ୍ଲେଖ କରିଥିଲେ ଏବଂ ପ୍ରବାସୀମାନେ ଆଜି ଭାରତ ଫେରିବା ସହିତ ତୁଳନା କରିଥିଲେ।ପ୍ରବାସୀ ଭାରତୀୟ ଦିବସ ଆରମ୍ଭ କରିଥିବା ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୃଷ୍ଟିକୋଣକୁ ମୋଦି ମନେ ପକାଇଥିଲେ।

ଓଡିଶାର ଐତିହ୍ୟର ସ୍ମୃତି

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ପ୍ରଥମେ ଓଡିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ପ୍ରଶଂସା କରିଛନ୍ତି। ସେ କୋଣାର୍କର ସୂର୍ଯ୍ୟ ମନ୍ଦିର, ଉଦୟଗିରି ଓ ଖଣ୍ଡଗିରିର ଗୁମ୍ଫାଗୁଡ଼ିକ ଏବଂ ତାମ୍ରଲିପି ସହିତ ପ୍ରାଚୀନ ବନ୍ଦର ସଂପର୍କରେ ଉଲ୍ଲେଖ କରିଥିଲେ। ସେ ଓଡିଆ ସାଧବ ପୁଅଙ୍କର ବାଲି ଯାତ୍ରାର ସମ୍ବନ୍ଧରେ କହିଥିଲେ। ଓଡ଼ିଶାର ବ୍ୟବସାୟୀମାନେ ବାଲି, ସୁମାତ୍ରା ଓ ଜାଭା ଭଳି ସ୍ଥାନକୁ ଦୀର୍ଘ ସମୁଦ୍ର ଯାତ୍ରାର ଦୁଃସାହସିକତାକୁ ବର୍ଣ୍ଣନା କରିଥିଲେ।

ସେ ଧଉଳି ଉପରେ ବିସ୍ତୁତ ଭାବେ କହିଥିଲେ। ସେ କହିଥିଲେ ଯେ, ଧଉଳି ହେଉଛି ଏପରି ସ୍ଥାନ ଯେଉଁଠି ସମ୍ରାଟ ଅଶୋକ ତରବାରୀ ଛାଡି ଶାନ୍ତିର ମାର୍ଗ ଆପଣେଇଥିଲେ। ସେ କହିଥିଲେ ଯେ, ସେତେବେଳେ ସମ୍ରାଟ ଅଶୋକ ଦେଶ ପାଇଁ ଯୁଦ୍ଧ ନୁହେଁ ବୁଦ୍ଧ ଦରକାର ବୋଲି ସମସ୍ତଙ୍କୁ ଜଣାଇଦେଇଥିଲେ।

ପ୍ରବାସୀମାନଙ୍କ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତୀୟ ପ୍ରବାସୀମାନେ ଭାରତର ରାଷ୍ଟ୍ରଦୂତ ଭାବରେ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଦୁଇଟି ମୁଖ୍ୟ ବିଷୟ ଉପରେ ଅଧିକ ଜୋର ଦେଇଥିଲେ। ତାହା ହେଲା ଭାରତର ଏକ ତୀବ୍ର ଉନ୍ନତି ଓ ପ୍ରବାସୀମାନଙ୍କ ସମ୍ବଳର ଗୁରୁତ୍ୱ। ସେ କହିଥିଲେ ଯେ ଭାରତ ୧୦ ବର୍ଷରେ ୨୫ କୋଟି ଲୋକଙ୍କୁ ଦରିଦ୍ରତାରୁ ଉପରେ ଉଠାଇଛି ଓ ଏହା ୧୦ମ ଶ୍ରେଷ୍ଠ ଆର୍ଥିକ ରାଷ୍ଟ୍ରରେ ୫ମ ସବୁଠାରୁ ବଡ଼ ଅର୍ଥନୀତିର ତାଲିକାରେ ଭାରତ ସ୍ଥାନ ହାସଲ କରିଛି। ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଭାରତ ଖୁବ ଶୀଘ୍ର ୩ର୍ଥ ସବୁଠାରୁ ବଡ଼ ଅର୍ଥନୀତି ରାଷ୍ଟ୍ର ହେବ।

୨୧ଶତାବ୍ଦୀର ଭାରତର ସଫଳତାର ଗାଥା

ପ୍ରଧାନମନ୍ତ୍ରୀ ଏହା ଉଲ୍ଲେଖ କରିଥିଲେ ଯେ ଭାରତର ଚନ୍ଦ୍ରଯାନ ମିଶନ ଶିବ-ଶକ୍ତି ପୃଷ୍ଠକୁ ପହଞ୍ଚିଥିଲା ଓ ଡିଜିଟାଲ୍ ଭାରତର ଶକ୍ତି ସାରା ବିଶ୍ୱରେ ପ୍ରଶଂସିତ ହେଉଛି। ସେ କହିଥିଲେ ଯେ ପ୍ରତ୍ୟେକ କ୍ଷେତ୍ରରେ ଭାରତ ନୂଆ ସୋପାନରେ ପ୍ରବେଶ କରୁଛି। ଅକ୍ଷୟ ଶକ୍ତି, ଚନ୍ଦ୍ର ଅଭିଯାନ  ଓ ବୁଲେଟ୍ ଟ୍ରେନ ପ୍ରକଳ୍ପ ଏହାର ଗୋଟିଏ ଗୋଟିଏ ଉଦାହରଣ। ସେ କହିଲେ ଯେ ଆଗାମୀ ଦିନରେ ପ୍ରବାସୀମାନେ ମେଡ୍ ଇନ୍ ଇଣ୍ଡିଆ” ବିମାନରେ ଭାରତକୁ ଆସିବେ।

ଭାରତୀୟ ପ୍ରବାସୀମାନଙ୍କ ସଫଳତା ଓ ଐତିହ୍ୟ ଉପରେ ଜୋର

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦୁନିଆରେ ଭାରତୀୟ ପ୍ରବାସୀମାନଙ୍କ ଐତିହ୍ୟ ଏବଂ ସଫଳତା ଭାରତର ଏକ ଗୌରବମୟ ଅଂଶ। ସେ ବିଶେଷକରି ଗୀରମିତିୟା ଭାଇ ଓ ଭଉଣୀମାନଙ୍କ ଐତିହ୍ୟ ତଥ୍ୟ ସଂଗ୍ରହ କରିବାର ଆହ୍ୱାନ କରିଥିଲେ। ସେ ଏହାକୁ ଡକ୍ୟୁମେଣ୍ଟେସନ୍ ଓ ଫିଲ୍ମ ମାଧ୍ୟମରେ ଦୁନିଆକୁ ଦେଖାଇବାର ପ୍ରସ୍ତାବ ଦେଇଥିଲେ। ପ୍ରଧାନମନ୍ତ୍ରୀ ଗୀରମିତିୟା ଐତିହ୍ୟ ଅଧ୍ୟୟନ କରିବା ପାଇଁ ଏକ ବିଶ୍ବବିଦ୍ୟାଳୟ ଚେୟାର ସ୍ଥାପନ କରିବା ଏବଂ ପ୍ରତିବର୍ଷ ଏକ ବିଶ୍ବ ଗୀରମିତିୟା ସମ୍ମେଳନ ଆୟୋଜନର ପ୍ରସ୍ତାବ ରଖିଥିଲେ।

ଉନ୍ନତି ଓ ଐତିହ୍ୟର ସମ୍ମିଳନୀ

ସାରା ଭାରତରେ ଜି-୨୦ ସମ୍ମେଳନ ଏବଂ କାଶୀ-ତାମିଳ ସଂଗମ ଭଳି ଆୟୋଜନର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଅନ୍ୟାନ୍ୟ ଐତିହ୍ୟ ସ୍ଥଳକୁ ସଂଯୋଗ କରିବା ପାଇଁ ବିଶେଷ ଟ୍ରେନ୍ ବ୍ୟବସ୍ଥା କରା ଯାଇଛି। ସେ ଭାରତୀୟ ପ୍ରବାସୀ ଏକ୍ସପ୍ରେସ୍ ଟ୍ରେନ୍ ର ଉଦଘାଟନ କରିଥିଲେ। ଏହି ଟ୍ରେନଟି ପ୍ରାୟ ୧୭ଟି ତୀର୍ଥସ୍ଥଳକୁ ଯୋଡ଼ିବ। ସେ ମହାକୁମ୍ଭର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଅଧିକ ମାତ୍ରାରେ ସାମିଲ ହେବାକୁ ଆହ୍ୱାନ କରିଥିଲେ।

ଭବିଷ୍ୟତ ଉଦ୍ୟମ ଓ ଯୁବ ସମ୍ବଳ

ପ୍ରଧାନମନ୍ତ୍ରୀ ଏହା ଉପରେ ଜୋର ଦେଇଥିଲେ ଯେ ଭାରତ ବିଶ୍ୱରେ ସବୁଠାରୁ ଯୁବକ ଜନସଂଖ୍ୟା ସମ୍ପନ୍ନ ରାଷ୍ଟ୍ର ରହିବ। ସେ “ଭାରତ କୁ ଜାଣ” କ୍ୱିଜ୍ ଏବଂ “ଷ୍ଟଡି ଇନ୍ ଇଣ୍ଡିଆ” ପ୍ରୋଗ୍ରାମରେ ଯୁବ ପ୍ରବାସୀମାନଙ୍କ ସହଭାଗୀତାକୁ ଉତ୍ସାହିତ କରିଥିଲେ। ଏହା ସହିତ ସେ ଭାରତୀୟ ପ୍ରବାସୀମାନଙ୍କୁ ଦେଶର ଐତିହ୍ୟ ଓ ଐତିହାସିକ ସଂସ୍କୃତି ବିଦେଶରେ ଦେଖାଇବାର ଆହ୍ୱାନ କରିଥିଲେ।

ଲୋକାଲ ରୁ ଗ୍ଲୋବାଲ ପାଇଁ ଆହ୍ବାନ

ମୋଦି ତାଙ୍କ ଭାଷଣରେ ଭାରତୀୟ ଜିନିଷର ପ୍ରଚାର ତଥା କିଣିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ବିଦେଶରେ ଯାହା ଭାରତୀୟ ଜିନିଷ ମିଳୁଛି ତାହା କିଣି ବ୍ୟବହାର କରନ୍ତୁ। ବିଦେଶ ଘରେ ଆପଣମାନେ ଭାରତୀୟ ଜିନିଷ ରଖନ୍ତୁ। ରୋଷେଇ ଘରେ ଭାରତୀୟ ଜିନିଷ ରଖନ୍ତୁ। ଯଦି କୌଣସି ଜିନିଷ ମିଳୁ ନାହିଁ ତେବେ ତାହାକୁ ଅନ ଲାଇନରେ ମଗାନ୍ତୁ ବୋଲି ମୋଦି କହିଥିଲେ।

Share This Article