ବାଲୁଗାଁ ମୁଖ୍ୟରାସ୍ତା ଉଭୟ ପାର୍ଶ୍ୱରୁ ବେଆଇନ ଉଚ୍ଛେଦ

Odisha Hot News
1 Min Read

ବାଲୁଗାଁ: ୫ନଂ ଜାତୀୟ ରାଜପଥ ବାଲୁଗାଁ ସହରର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ନେଇ ଉଭୟ ପାର୍ଶ୍ଵରେ ଥିବା ବେଆଇନ ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଖବର ମୁତାବକ ବାଲୁଗାଁ ସହରର ମୁଖ୍ୟ ରାସ୍ତା ଗୋବର୍ଦ୍ଧନପୁର ଠାରୁ ଗବପଦର ମୌଜା ପର୍ଯ୍ୟନ୍ତ ଦୀର୍ଘ ୪ କିମି ରାସ୍ତା ୪ ଲେନ ବିଶିଷ୍ଟ ସମ୍ପ୍ରସାରଣ ନିମନ୍ତେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ପାଇଁ ନିର୍ଦ୍ଦେଶ ରହିଥିଲା।

ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସରକାରୀ ଜାଗା ଚିହ୍ନଟ କରି ଅବରୋଧକାରୀଙ୍କୁ ସୂଚିତ କରାଯିବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅକ୍ଟୋବର ୪ ରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର କିଛି ଅନିର୍ବାଯ୍ୟ କାରଣ ଯୋଗୁଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରହିଥିଲା। ଯାହାକି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗତ ସେପ୍ଟେମ୍ବର ମାସ ଠାରୁ ଅନେକ ଥର ବିଭିନ୍ନ ସ୍ଥାନରେ ଜାଗା ଚିହ୍ନଟ କରାଯାଇଥିବା ବେଳେ ବାସ୍ତବରେ କେତେ ଜାଗା ଉଚ୍ଛେଦ ହେବ ତାହା ସ୍ଥାୟୀ ଓ ଅସ୍ଥାୟୀ ଜବରଦଖଲ କାରୀ ଅଗୋଚରରେ ରହିଥିଲେ।

ତେବେ ନୂତନ ବର୍ଷ ପ୍ରାରମ୍ଭରୁ ଚିଲିକା ତହସିଲଦାର କାହ୍ନୁ ଚରଣ ଘଡେଇ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ନୋଟିସ ଜାରି କରିଥିଲେ। ଯାହାକି ଆଜି ପୂର୍ବାହ୍ନରେ ଚିଲିକା ତହସିଲଦାର ଶ୍ରୀ ଘଡେଇଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଅତିରିକ୍ତ ତହସିଲଦାର ବିଷ୍ଣୁପ୍ରିୟା ବେହେରା, ବାଲୁଗାଁ ରାଜସ୍ୱ ଅଧିକାରୀ ନିକୁଞ୍ଜ ପ୍ରଧାନ, ଅମିନ, ତହସିଲ କର୍ମଚାରୀ, ଏକ ପ୍ଲାଟୁନ ଫୋର୍ସ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା କରାଯାଇଥିଲା।

ଏହି ପ୍ରକ୍ରିୟା ବାଲୁଗାଁ ସହରରେ ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରିବା ପର୍ଯ୍ୟନ୍ତ ଜାରି ରହିବ ବୋଲି ତହସିଲଦାର ଶ୍ରୀ ଘଡେଇ କହିଛନ୍ତି।

Share This Article