ଅଦିନିଆ ଲଗାଣ ବର୍ଷା ଉଜାଡିଲା ଫସଲ: ବିଲରେ ପଡି ଗଜା ହେଲା ଧାନ, ଚିନ୍ତାରେ ଚାଷୀ

Odisha Hot News
2 Min Read

ରଣପୁର: ଚଳିତ ବର୍ଷ ଧାନ ଫସଲର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନୁକୁଳ ପାଗ ରହିଥିବା ବେଳେ ଅମଳ ସମୟରେ ତିନିଦିନ ଧରି ଲଗାଣ ବର୍ଷା ଲାଗି ରହିବା ପରେ ମାତ୍ର ଗୋଟିଏ ଦିନ ପାଇଁ ପାଗ ଶୁଖିଲା ଥିବା ବେଳେ ପୁଣି ଥରେ ଦୁଇ ଦିନ ଧରି ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ଫସଲ ଚିନ୍ତାରେ ଚାଷୀ ହତାସ ହୋଇଥିବା ଦେଖିବାକୁ ମିଳିଛି। ଏଣେ ଅମଳ ଅପେକ୍ଷାରେ ବିଲରେ କଟା ହୋଇ ପଡି ରହିଥିବା ଧାନ ସବୁ ଦୀର୍ଘ ଦିନ ଧରି ପାଣିରେ ଭିଜିବା ପରେ ଗଜା ଧରିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଚାଷୀକୂଳ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ଚାଷୀଙ୍କ ମଧ୍ୟରୁ କେହି କେହି କଟା ଧାନ କୁ ବିଲରେ ଗଦା ମାରି ପାଳ ନଡା ଘୋଡାଇ ରଖିଥିବା ବେଳେ ତାହା ଏବେ ଖତ ଖାଇ ନଷ୍ଟ ହେବା ଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ କ୍ଷେତରେ କଟା ଯାଇଥିବା ଧାନ ପଡି ରହିଥିବା ହେତୁ ତାହା ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ଅବସ୍ଥାରେ ବିଲରେ ପଡି ଗଜା ହୋଇଯାଇଛି।

ଅପରପକ୍ଷରେ ଅମଳ ଧାନର କ୍ଷତି ହେବାଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ହେତୁ ଚାଷ ପାଇଁ କରିଥିବା ଧାର କରଜ କୁ କିଭଳି ଶୁଝିବେ ତାହା ଚିନ୍ତାର ବିଷୟ ପାଲଟିଛି। ଚାଷୀକୂଳ ଅମଳ ସମୟରେ ବର୍ଷାକୁ ନେଇ ଚଳିତ ବର୍ଷ ଧାନମଣ୍ଡି ପାଇଁ ରହିଥିବା କଟକଣା କୁ କିଭଳି ସାମ୍ନା କରିବେ ତାହା ଚିନ୍ତାର ବିଷୟ ପାଲଟିଛି। ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଚାଷୀକୂଳର ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ରାଜ୍ୟ ସରକାର ତୁରନ୍ତ ଅନୁଧ୍ୟାନ କରି କ୍ଷତିପୂରଣ ଭରଣା କରିବାର ପ୍ରତିଶୃତି ଦେଇଥିବା ବେଳେ ମାତ୍ର ଗୋଟିଏ ଦିନ ପାଗ ଶୁଖିଲା ରହି ପରବର୍ତି ଦୁଇଦିନ ଲଗାଣ ବର୍ଷା ଚାଷୀକୂଳକୁ ଅସ୍ତବ୍ୟସ୍ତ କରି ପକାଇଛି।

ଏଭଳି ଦୁର୍ବିପାକ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀକୂଳ ଙ୍କୁ ସହାୟକ ହେବା ପାଇଁ ଜରୁରୀ କାଳୀନ ପଦକ୍ଷେପ ଗ୍ରହଣ କରି କ୍ଷୟକ୍ଷତି ଭରଣା କରିବା ସହ ଚଳିତ ବର୍ଷ କୃଷି ଋଣ ଛାଡ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।

Share This Article