ବାଲୁଗାଁ: ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତିଲେ ଯାତ୍ରୀ

Odisha Hot News
1 Min Read

ବାଲୁଗାଁ: ଆଜି ଅପରାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ଼ ଓଭର ବ୍ରିଜ ଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ଯାତ୍ରୀବାହି ବସ ଖସି ପଡ଼ିଥିଲା। ଯେଉଁଥିରେ ୨୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଯାଉଥିବା ବେଳେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି।

ଖବର ମୁତାବକ ବୃନ୍ଦାବନ ନାମକ ଏକ ଯାତ୍ରୀବାହୀ ବସ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥ ନାଭାଲ ଫାଣ୍ଡି ନିକଟସ୍ଥ ନୂଆଗଡ଼ ଓଭର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ଓ ବାଲୁଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବସରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ତନ୍ମଧ୍ୟରୁ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଘଟଣା ସ୍ଥଳରୁ ଡ୍ରାଇଭର, ହେଲ୍ପର, କଣ୍ଡକ୍ଟର ଫେରାର ଥିଲେ।

ଦିନତମାମ ବର୍ଷା ଲାଗି ରହିଥିବା ଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା।ପୋଲିସ ସହାୟତାରେ ସମସ୍ତ ଯାତ୍ରୀମାନଙ୍କୁ ନିଜ ନିଜର ଗନ୍ତବ୍ୟ ସ୍ଥାନକୁ ପଠାଯାଇଥିବା ବେଳେ ତଦନ୍ତ ଜାରି ରହିଛି।

Share This Article