ରାଜ୍ୟସ୍ତରୀୟ ହୁଇଲଚେୟାର ଫେନସିଂ ରେ ସୁମନ୍ତଙ୍କୁ କାଂସ୍ୟ ପଦକ

Odisha Hot News
1 Min Read

ବାଣପୁର: ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ହୁଇଲଚେୟାର ଫେନସିଂ ଚମ୍ପିୟାନସିପରେ ବିଭିନ୍ନ ଜିଲ୍ଲାର ପୁରୁଷ ଏବଂ ମହିଳା ବର୍ଗରେ ୧୦୦ ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ସେଥିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମ ବିଷରପାଟଣାର ସ୍ବର୍ଗତ ଶଙ୍କର ପ୍ରଧାନଙ୍କ ପୁତ୍ର ସୁମନ୍ତ ପ୍ରଧାନ କ୍ୟାଟେଗୋରୀ ଏ’ ସାବ୍ରେ ରେ ଭାଗନେଇ କାଂସ୍ୟ ପଦକ ଜିତି ନିଜ ବାଣପୁର ଅଞ୍ଚଳ ପାଇଁ ଗର୍ବ ଗୌରବ ଆଣିଛନ୍ତି। ସୁମନ୍ତ ଜଣେ ଦିବ୍ୟାଙ୍ଗ, ତାଙ୍କର ବାମ ଗୋଡ କଟିଯିବା ପରେ ଦିବ୍ୟାଙ୍ଗ ହୋଇ ଜୀବନ ଅତିବାହିତ କରୁଥିଲେ।

ସେତିକି ବେଳେ ତାଙ୍କର ଆଉଜଣେ ଦିବ୍ୟାଙ୍ଗ କ୍ରୀଡ଼ାବିତ ତ୍ରିଲୋଚନ ସାହୁଙ୍କ ସହ ସାକ୍ଷାତ ହେଲା ଏବଂ ସେ ତାଙ୍କୁ ପରାସ୍ପୋର୍ଟସ ରେ ଅବଗତ କରାଇଥିଲେ ଏବଂ ସୁମନ୍ତ ତାଙ୍କ କୋଚ ଏସିଆନ ପାରା କ୍ରୀଡ଼ାବିତ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟଙ୍କ ଠାରୁ ଅଳ୍ପ ଦିନର କୋଚିଂ ଅଭ୍ୟାସ କରି ଏହି ସଫଳତା ହାସଲ କରିଛନ୍ତି ଏବଂ ଆଗକୁ ଆହୁରି ଅଧିକ ପରିଶ୍ରମ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ ହେବାପାଇଁ ସେ ଆଶା ରଖିଛନ୍ତି।

ତାଙ୍କର ଏହି ସଫଳତା ପାଇଁ ସୁମନ୍ତଙ୍କୁ କୋଚ, ପରିବାରବର୍ଗ, ଗ୍ରାମବାସୀ, ଏବଂ ଶୁଭଚିନ୍ତକ ମାନେ ଶୁଭେଚ୍ଛା ଜଣେଇବା ସହିତ ଆଗକୁ ଆହୁରି ସଫଳତା ପାଇଁ କାମନା କରୁଛନ୍ତି।

Share This Article