‘ଓସା’ ପକ୍ଷରୁ ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ

Odisha Hot News
4 Min Read

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସାରା ପୃଥିବୀରେ ପାଠାଗାରର ପରିଭାଷା ବଦଳିଛି। ଏହା ଆଉ କେବଳ ଗ୍ରନ୍ଥାଗାର ଭାବେ ସୀମିତ ହୋଇ ରହିନାହିଁ। ସେଠାରେ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବସ୍ଥା ହେବା ସହ ଯୁବପିଢ଼ିଙ୍କ ନିଯୁକ୍ତି ସମ୍ଭାବନା ବୃଦ୍ଧି, ବିଭିନ୍ନ ବର୍ଗଙ୍କ ପାଇଁ ଦକ୍ଷତା ବିକାଶ, ଡିଜିଟାଲ ଓ ଆର୍ଥିକ ସାକ୍ଷରତା ଆଦି କ୍ଷେତ୍ରରେ ବିକାଶ ଲାଗି ଏହାକୁ ଏକ ଆଧୁନିକ ଗୋଷ୍ଠୀ ସାଧନ କେନ୍ଦ୍ର ଭାବେ ବ୍ୟବହାର କରାଯାଉଛି। ଏହି ମଡେଲକୁ ଓଡ଼ିଶାରେ କିପରି ପ୍ରୟୋଗ କରାଯାଇ ପାରିବ ସେନେଇ ଭୁବନେଶ୍ୱରରେ ଆୟୋଜିତ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୪’ରେ ମାନସ ମନ୍ଥନ କରାଯାଇଥିଲା।

ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସଙ୍ଗଠନ ଦ ‘ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍’ (ଓସା) ପକ୍ଷରୁ ଭଞ୍ଜକଳା ମଣ୍ଡପଠାରେ ରବିବାର ଦିନ ଏହି ଦିନିକିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଓସାର ଏହି ଅଭିନବ ଉଦ୍ୟମକୁ ପ୍ରଶଂସା କରିଥିଲେ।

‘‘ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ଦିଗରେ ପାଠାଗାରର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ବର୍ତ୍ତମାନ ସମୟରେ ପାଠାଗାରଗୁଡ଼ିକର ଆଧୁନିକୀକରଣ ସହ ସମସ୍ତଙ୍କ ଭିତରେ ପଠନ ଅଭ୍ୟାସକୁ ପୁଣିଥରେ ଫେରାଇ ଆଣିବାକୁ ହେବ। ଲୋକଙ୍କ ଭିତରେ ପଢ଼ିବାର ଅଭ୍ୟାସ ବୃଦ୍ଧି ପାଇଲେ ସର୍ବସାଧାରଣ ପାଠାଗାରଗୁଡ଼ିକର ଉପଯୁକ୍ତ ବ୍ୟବହାର ହୋଇପାରିବ। ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ,’’ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଏହି ସ୍ୱତନ୍ତ୍ର ଅଧିବେଶନରେ ଭାଗନେଇ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ‘‘ଓଡ଼ିଶାର ଗ୍ରାମୀଣ ସ୍ତରରେ ଆଧୁନିକ ସର୍ବସାଧାରଣ ପାଠାଗାର ସ୍ଥାପନ ପାଇଁ ଓସା ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଛି ତାହା ସ୍ୱାଗତଯୋଗ୍ୟ। ଏ ଦିଗରେ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ଦଳ ମତ ନିର୍ବିଶେଷରେ ବିଧାୟକମାନଙ୍କ ହାତ ପାଣ୍ଠିର ବିନିଯୋଗ କରାଯାଇ ପାରିଲେ ରାଜ୍ୟର ସମସ୍ତ ବ୍ଲକ ସ୍ତରରେ ପାଠାଗାର ସ୍ଥାପନ ସମ୍ଭବ ହୋଇପାରିବ।’’ ତେଣୁ ଆଧୁନିକ ପାଠାଗାରର ରୂପରେଖ କିପରି ହେବା ଦରାକର ସେନେଇ ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ସେ ‘ଓସା’ର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ।

‘ଓସା’ର ସଭାପତି ଲିନା ମିଶ୍ର କାର୍ଯ୍ୟକ୍ରମର ବିଭିନ୍ନ ଅଧିବେଶନରେ ଭାଗ ନେଇଥିଲେ। ରାଜ୍ୟରେ ପ୍ରତି ପଞ୍ଚାୟତ ସ୍ତରରେ ଗ୍ରାମୀଣ ଅତ୍ୟାଧୁନିକ ପାଠାଗାର ସ୍ଥାପନ କରାଗଲେ ତାହା କିପରି ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ବିଶେଷ ସହାୟକ ହେବ ତା’ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏ ଦିଗରେ ଓସା ପକ୍ଷରୁ କରାଯାଉଥିବା ଉଦ୍ୟମ ସମ୍ପର୍କରେ ସୂଚନା ଦେବା ସହ ସେ ଏହି ଆକାଂକ୍ଷାକୁ ସାକାର କରିବାରେ ଆଗେଇ ଆସିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

ଏହି ଅବସରରେ ‘ଆଧୁନିକ ସର୍ବସାଧାରଣ ପାଠାଗାର ଓଡ଼ିଶା ବିକାଶର ଚାବିକାଠି’ ଏବଂ ‘ନଲେଜ ସୋସାଇଟି ଗଠନରେ ଆଧୁନିକ ପାଠାଗାରର ଭୂମିକା’ ଶୀର୍ଷକରେ ଦୁଇଟି ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା। ଏଥିରେ ଓସା ପକ୍ଷରୁ ଓଡ଼ିଶା ସର୍ବସାଧାରଣ ପାଠାଗାର ଅଭିଯାନର ଅଧ୍ୟକ୍ଷ ନିଶିକାନ୍ତ ସାହୁ ଏବଂ ସହ-ଅଧ୍ୟକ୍ଷ ଡକ୍ଟର ଅଜୟ ମହାନ୍ତି ଯୋଗଦେଇ ଏହି ବିଷୟରେ ବିଭିନ୍ନ ଦିଗରୁ ତଥ୍ୟ ଏବଂ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ଭାରତର ବିଭିନ୍ନ ରାଜ୍ୟ ଗ୍ରାମୀଣ ସ୍ତରରେ ଆଧୁନିକ ସର୍ବସାଧାରଣ ପାଠାଗାର ସ୍ଥାପନ କରିବାରେ ସଫଳ ହୋଇଛନ୍ତି। ଏହି ସମ୍ମିଳନୀ ଅବସରରେ କର୍ଣ୍ଣାଟକ କିପରି ୬ ହଜାରରୁ ଅଧିକ ପାଠାଗାର ପ୍ରତିଷ୍ଠା କରିପାରିଛି ‘ଓସା’ର କର୍ମକର୍ତ୍ତାମାନେ ତା’ର ଉଦାହରଣ ଦେଇଥିଲେ।

ବିଭିନ୍ନ ଅଧିବେଶନରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ଭିତରେ ଥିଲେ ଦିବ୍ୟାଙ୍ଗଙ୍କ ପାଇଁ କାମ କରୁଥିବା ‘ସ୍ୱାଭିମାନ’ର ପ୍ରତିଷ୍ଠାତା ଓ ସିଇଓ ଡକ୍ଟର ଶ୍ରୁତି ମହାପାତ୍ର, ଓଡ଼ିଶାଲାଇଭର ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ, ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଡକ୍ଟର ଦେବୀଲାଲ ମିଶ୍ର, ପ୍ରଫୁଲ୍ଲ ପାଠାଗାରର ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ, ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ଡକ୍ଟର ସୁଜିତ କୁମାର ମହାପାତ୍ର ଏବଂ ଓସା ପକ୍ଷରୁ ଓଡ଼ିଶା ସର୍ବସାଧାରଣ ପାଠାଗାର ଅଭିଯାନର ସଦସ୍ୟ ନଳିନୀ ପଟ୍ଟନାୟକ।

ଓସା ଓଡ଼ିଶା ଲାଇବ୍ରେରି ନେଟୱର୍କର ସଦସ୍ୟ ପ୍ରଣବ ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ ଲାଇବ୍ରେରି ସାଇନ୍ସ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ବାମନ ପରିଡ଼ା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ‘ଓସା’ର କର୍ମକର୍ତ୍ତାଙ୍କ ସହିତ ଶିକ୍ଷାବିତ, ପାଠାଗାର ଆନ୍ଦୋଳନ ସହ ସଂପୃକ୍ତ ବ୍ୟକ୍ତିତ୍ୱ, ଲାଇବ୍ରେରି ସାଇନ୍ସ ବିଭାଗର ଅଧ୍ୟାପକ ଏବଂ ବିଭିନ୍ନ ପାଠାଗାର ପରିଚାଳକ ଏଥିରେ ଅଂଶ ଗ୍ରହଣ କରି ଏହି ପୂରା ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଭାଗ ନେଇଥିଲେ।

Share This Article