ପାତ୍ରପୁରରେ ହେବ ଆଳୁଚାଷ, ଆସିଲା ୬୦୦ ବସ୍ତା ବିହନ

Odisha Hot News
1 Min Read

ଭୁବନେଶ୍ଵର: ସରକାରଙ୍କ ଆଳୁ ମିଶନ୍ ଯୋଜନାରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍‌ରେ ମଧ୍ୟ ଆଳୁଚାଷ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଗତକାଲି ଅପରାହ୍ନରେ ବ୍ଲକ୍‌କୁ ୬୦୦ ବସ୍ତା ବିହନ ଆସିଛି। ବ୍ଲକର ତଣ୍ଡିପୁର, ପଦାଦିଗି, ଭୀମପୁର, ସୁରଙ୍ଗୀ, ଆଙ୍କୁଲି, ଖାରିଆଗୁଡ଼ା ଓ ସୁବର୍ଣ୍ଣପୁର ପ୍ରମୁଖ ଗ୍ରାମର ଚାଷୀଙ୍କୁ ଏହି ବିହନ ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି।

ଉକ୍ତ ଗ୍ରାମ ଗୁଡ଼ିକରେ ଆଳୁ ସମେତ ପନିପରିବା ଚାଷ ପାଇଁ ପରିବେଶ ଓ ଜମିର ମାଟି ଅନୁକୂଳ ରହିଛି। ଉଦ୍ୟାନ ବିଭାଗ ପକ୍ଷରୁ ୨୦୨୪-୨୫ ବର୍ଷ ପାଇଁ ୦.୯ ହେକ୍ଟର୍ ଚାଷ ଜମି ପାଇଁ ୫ ପ୍ୟାକେଟ୍ ଆଳୁ ବିହନ ଯୋଗାଇ ଦିଆଯିବ। ଏହି ବାବଦକୁ ଚାଷୀ ୫ ହଜାର ୨ ଶହ ଟଙ୍କା ଜମା କରିବେ। ସବ୍‌ସିଡ଼ି ବାବଦକୁ ୨୬ ଟଙ୍କା ଫେରି ପାଇବେ।

ଉକ୍ତ ସମଗ୍ର ଗ୍ରାମରେ ଆଳୁଚାଷ ହେଲେ କମ୍ ଦରରେ ଆଳୁ ବିକ୍ରି ହେବ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ପଦାଦିଗି ଗ୍ରାମ ସମେତ ବିଭିନ୍ନ ଗ୍ରାମରେ ଫୁଲକୋବି, ଫଳକୋବି, ବନ୍ଧାକୋବି, ଚମାଟୋ, ବାଇଗଣ, ଭେଣ୍ଡି, ଲଙ୍କା, ଦେଶୀଆଳୁ ଓ ସାରୁ ଏବଂ ବିଭିନ୍ନ ପନିପରିବା ଚାଷ ହେଉଛି।

ଚଳିତ ବର୍ଷ ଆଳୁଚାଷ ହେଲେ ଚାଷୀ ଅଧିକ ଲାଭବାନ୍ ହେବେ ବୋଲି ଆଶା କରାଯାଉଛି।

Share This Article