ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ସଭା ଓ ଶୋଭାଯାତ୍ରା

Odisha Hot News
1 Min Read

ଭୁବନେଶ୍ଵର: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଘଟଣାକୁ ବିରୋଧ କରି ନୟାଗଡ଼ ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ସନ୍ତୋଷ ପ୍ରଧାନଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା କରାଯାଇଛି। ନୟାଗଡ଼ ଖଣ୍ଡପଡ଼ା ରୋଡ଼ରେ ଅବସ୍ଥାପିତ ସିଦ୍ଧମହାବୀରଙ୍କ ପୀଠରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ବହୁ ହିନ୍ଦୁପ୍ରେମୀ ଓ ସାଧୁସନ୍ଥ ବିଭିନ୍ନ ନାରା ଦେଇ ସହର ପରିକ୍ରମା କରିଥିଲେ।

ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା କରାଯାଇଥିଲା। ଏଥିରେ ହିନ୍ଦୁପ୍ରେମୀ ଓ ସାଧୁସନ୍ଥମାନେ ହିନ୍ଦୁଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ପରିଚାଳନା କରିଥିଲେ। ମଞ୍ଚ ପକ୍ଷରୁ ରାଷ୍ଟ୍ରପ୍ରତିଙ୍କ ଉଦ୍ଦେଶ୍ୟରେ ଏକ ସ୍କାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। କେନ୍ଦ୍ର ସରକାର ହସ୍ତକ୍ଷେପ କରି ବାଂଲାଦେଶରେ ଥିବା ହିନ୍ଦୁଙ୍କ ଧନଜୀବନ ସୁରକ୍ଷା ଦିଗରେ ପଦକ୍ଷେପ ନେବା ପାଇଁ ମଞ୍ଚ ତରଫରୁ ଦାବି କରାଯାଇଛି।

ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ମଞ୍ଚ ତରଫରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ହିନ୍ଦୁ ସୁରକ୍ଷା ମଞ୍ଚର ଆବାହକ ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଟାଉନଥାନା ପୁଲିସ ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Share This Article