ତୃତୀୟ ଦିବସରେ ମହାପ୍ରଭୁଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ 

Odisha Hot News
1 Min Read

ପୁରୀ: ପଞ୍ଚୁକ ବ୍ରତର ଆଜି ଗୁରୁବାର ତୃତୀୟ ଦିବସରେ ମହାପ୍ରଭୁଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ। କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅବକାଶ ନୀତି ପରେ ଅନୁଷ୍ଠିତ ହେବ। ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥିବା ବେଳେ ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ। ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ। ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ।

ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ। ଏଥି ସହିତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ।

କଥିତ ଅଛି ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ। ପଞ୍ଚୁକ ସମୟରେ ଭିନ୍ନ ଭିନ୍ନ ବେଶ ଦର୍ଶନ ଅଶେଷ ପୂର୍ଣ ପ୍ରାପ୍ତି ମିଳିଥାଏ ବୋଲି ବିଶ୍ୱାସ ଥିବାରୁ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଶ୍ରୀକ୍ଷେତ୍ରରେ ପରିଲକ୍ଷିତ ହେଉଅଛି। ଅନ୍ୟପକ୍ଷରେ ଚଳିତବର୍ଷ ପଞ୍ଚକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ପଡ଼ୁଥିବା ବେଳେ ଚତୃଦଶୀ ତିଥି କ୍ଷୟ ପଡୁଥିବା ହେତୁ ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ ବା ଡାଳିକିଆ ବେଶ ଅନୁଷ୍ଠିତ ହେବ ନାହିଁ।

Share This Article