ଅବକାରୀ ସିପାହୀଙ୍କୁ ମାରଣାନ୍ତକ ଆକ୍ରମଣ, ଜଣେ ଯୁବକ ଅଟକ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଶାରଦୀୟ ନବରାତ୍ରୀ ପୁଜା ସମୟରେ ସମସ୍ତ ନିଶା ଦୋକାନ ବନ୍ଦ ରହିବା ପାଇଁ ସରକାରଙ୍କ ଦ୍ବାରା ବାରମ୍ବାର ଚିଠି ପାଇବା ପରେ ମଧ୍ୟ ଅନେକ ଦୋକାନୀ ନିୟମ ଉଲ୍ଲଙ୍ଘନ କରି ଖୋଲାଖୋଲି ଦୋକାନ ବାହାରେ ମଦ ବ୍ୟବସାୟ କରୁଛନ୍ତି। ଏହି ଭଳି ପରିସ୍ଥିତିରେ ଅନୁସନ୍ଧାନ ଚଳାଇ ଅବକାରୀ ବିଭାଗ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ପଇଁତରା ମାରି ସଠିକ ତଥ୍ୟକୁ ଆଧାର କରି ବିଭିନ୍ନ ଦୋକାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କିନ୍ତୁ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ବିଏସଏନଏଲ କାର୍ଯ୍ୟାଳୟ ପାଖ ଗଳିରେ ଫ୍ରେଣ୍ଡ୍ସ୍ ୱାଇନ୍ ସପ୍ ନିକଟରେ ଖୋଲାଖୋଲି ମଦ ବ୍ୟବସାୟ ଖବର ପାଇ କିଛି କର୍ମଚାରୀ ଅନୁଧ୍ୟାନ ସ୍ଵରୁପ ଭିଡିଓ ଉତ୍ତୋଳନ କରୁଥିବା ବେଳେ ସବ୍ୟସାଚୀ ମିଶ୍ର ନାମକ ଜଣେ ସିପାହୀଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିଲା।

ଆକ୍ରମଣରେ ଗୁରୁତର ଆହତ ସିପାହୀ ମିଶ୍ର ଡାକ୍ତରଖାନାରେ ଯାଇ ଚିକିତ୍ସା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗକୁ ଗ୍ରହଣ କରି ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶନାରେ ପୋଲିସ ଟିମ ଅନୁସନ୍ଧାନ ଚଳାଇ ଜଣେ ଯୁବକକୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି ଓ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଥିବା ବ୍ରହ୍ମପୁର ଏସ୍ ପି କହିଛନ୍ତି।

Share This Article