ପୂର୍ବତନ ବିଧାୟକ ତଥା ସାଂସଦ ଧନେଶ୍ଵର ମାଝୀଙ୍କ ପରଲୋକ, ଉପମୁଖ୍ୟମନ୍ତ୍ରଙ୍କ ଶୋକ

Odisha Hot News
1 Min Read

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଧନେଶ୍ବର ମାଝୀଙ୍କ ଆଜି ପରଲୋକ ହୋଇଯାଇଛି। ସେ କେସିଙ୍ଗା ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଧନେଶ୍ଵର ମାଝୀ ୧୯୭୮ ରୁ ୧୯୮୪ ମସିହା ପର୍ଯ୍ୟନ୍ତ ଓଡିଶାରୁ ରାଜ୍ୟସଭାକୁ ସାଂସଦ ଭାବେ ପ୍ରତିନିଧିତ୍ଵ କରିଥିଲେ।

ଏହା ସହ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେସିଙ୍ଗା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। ଚାରି ଦଶନ୍ଧି ଧରି ଉଭୟ ରାଜ୍ୟ ତଥା ଜାତୀୟ ରାଜନୀତିରେ ତାଙ୍କର ଉଲ୍ଲେଖନୀୟ ଆଭିମୁଖ୍ୟ ରହିଥିଲା। ଜୀବନବ୍ୟାପୀ ସେ ଲୋକଙ୍କ ସେବା କରିବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ତାଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ଦକ୍ଷ ରାଜନେତା ଭାବେ ତାଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ। ଏହି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଶକ୍ତି ଓ ଧର୍ଯ୍ୟ ପ୍ରଦାନ କରନ୍ତୁ। ଶ୍ରୀ କନକ ବର୍ଦ୍ଧନ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Share This Article