ବିଜେଡି କଂଗ୍ରେସ ସହ ମିଶି କଣ ସରକାର କରିପାରିବ ? ଏମିତି କାହିଁକି କହିଲେ ସାଂସଦ ଦେବାଶିଷ ସାମନ୍ତରାୟ

Odisha Hot News
2 Min Read

ଭୁବନେଶ୍ବର: ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବକ୍ତବ୍ୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। କାରଣ ସେ ଗତକାଲି କୁଜଙ୍ଗର ଏକ କର୍ମି ସମ୍ମିଳନୀରେ କହିଛନ୍ତି ଯେ, ବିଜେଡି ଖୁବ ଶିଘ୍ର କଂଗ୍ରେସ ସହିତ ମିଶି ରାଜ୍ୟରେ ସରକାର ଗଠନ କରିବ। ଏହା ଅନେକଙ୍କୁ ଅସମ୍ଭବ ଲାଗୁଥିଲେ ମଧ୍ୟ ରାଜନୀତିରେ ସବୁ ସମ୍ଭବ ହୋଇପାରେ। ସେଥିପାଇଁ ଦେବାଶିଷଙ୍କ ଏହି ବାଣୀ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ଦେବାଶିଷଙ୍କ ଗଣିତ ଅନୁସାରେ ବର୍ତ୍ତମାନ କୋର୍ଟରେ ପ୍ରାୟ ୩୦ଟି ନିର୍ବାଚନ ଅନିୟମିତତା ମାମଲା ଋଜୁ ହୋଇଛି। ସେଥିମଧ୍ୟରୁ ପ୍ରାୟ ୨୦ଟିକୁ କୋର୍ଟ କୁଆଡେ ଗ୍ରହଣ କରିସାରିଛନ୍ତି। ସେଥିମଧ୍ୟରୁ ୭ଟି କିମ୍ବା ୮ ଟିରେ ଆମେ ଜିତିବା ନିଶ୍ଚିତ। ଆଉ ଜିତିବା ପରେ ସେଠାରେ ଉନିର୍ବାଚନ ହେବ। ଉପନିର୍ବାଚନରେ ବିଜେଡି ଜିତି କଂଗ୍ରେସ ସହିତ ହାତ ମିଳାଇ ସରକାର କରିବ। ଏହା ହେଲା ଦେବାଶିଷଙ୍କ ହିସାବ।

ଯଦି ପ୍ରକୃତ ଗଣତି ଦେଖାଯିବ ତେବେ ବିଜେଡି ସରକାର କରିବା କି ନାହିଁ ତାହା ଭିନ୍ନ କଥା କିନ୍ତୁ ମୋହନ ସରକାରକୁ ବିପଦ ନିଶ୍ଚିତ ଆଣିପାରିବ। କାରଣ ବର୍ତ୍ତମାନ ବିଧାନସଭାର ଆସନ ସ୍ଥିତି ଦେଖିଲେ ବିଜେପି-୭୮, ବିଜେଡି-୫୧, କଂଗ୍ରେସ-୧୪, ସିପିଆଇ-୧ ଏବଂ ସ୍ବାଧୀନ-୦୩ ଜଣ ଅଛନ୍ତି। ଆଉ ସଂଖ୍ୟା ଗରିଷ୍ଠତା ହେଉଛି ୭୪। ତେବେ ଏମାନଙ୍କ ମଧ୍ୟରୁ  ୩ ସ୍ବାଧୀନ ବିଧାୟକ ବିଜେପି ସହିତ ସାମିଲ ହୋଇ ସାରିଲେଣି। ଫଳରେ ବିଜେପିର ସଂଖ୍ୟା ବର୍ତ୍ତମାନ ୮୧ ରେ ପହଁଚିଛି।

ଦେବାଶିଷଙ୍କ ହିସାବରେ ଉପନିର୍ବାଚନ ହେଲେ ୭ଟି ଆସନରେ ସେମାନେ ଜିତିବେ। ତାହାକୁ ହିସାବକୁ ନେଲେ ବିଜେପିର ୭ଟି ଆସନ ହ୍ରାସ ପାଇବ ଆଉ ତାହା ବିଜେଡିରେ ମିଶିବ। ଫଳରେ ବିଜେପିର ୮୧ ରୁ ୭ ଗଲେ ଆଉ ରହିଲେ ୭୪, ଯାହା ପୁରା ସଂଖ୍ୟା ଗରିଷ୍ଠତାର ମାଇଲ ଖୁଣ୍ଟ ଉପରେ ବିଜେପି ରହିବ।

ଏପଟେ ବିଜେଡିର ୫୧ ଆସନରେ ୭ ମିଶାଇଲେ ୫୮ ଏବଂ ସେଥିରେ କଂଗ୍ରେସର ୧୪ ମିଶାଇଲେ ୭୨ ହେଉଛି। ଏହା ସଂଖ୍ୟା ଗରିଷ୍ଠତାରୁ ଦୁଇ କମ ରହୁଛି। ଯଦିଓ ସିପିଆଇର ଗୋଟିଏ ଆସନ ମିଶାଯାଏ ତେବେ ବି ଆହୁରି ଗୋଟିଏ ଆସନ କମ ରହିବ। ଫଳରେ ବିଜେଡି କଂଗ୍ରେସ ସହିତ ମିଶି କିପରି ସରକାର କରିବ ସେ ନେଇ ପ୍ରଶ୍ନ ଉଠିଛି। ସେପଟେ ବିଜେପି ମଧ୍ୟ ସରକାରରେ ରହିପାରିବ ନାହିଁ। ଯାହାଦ୍ବାରା ଓଡିଶାରେ ଏକ ଝୁଲା ବିଧାନସଭାର ପରିସ୍ଥିତି ସୃଷ୍ଟି ହେବ।

ହଁ ଏହା ନିଶ୍ଚିତ ଯେ ଯଦି ସାମ୍ଭବ୍ୟ ଉପନିର୍ବାଚନରେ ବିଜେଡି ୭ ପରିବର୍ତ୍ତେ ୮ଟି ଆସନ ଆଣିପାରିବ ତେବେ ଯାଇ ଏହା ସମ୍ଭବ ହୋଇପାରିବ। ହେଲେ ଏପରି ଛକାପଞ୍ଚା ଭିତରେ ସରକାର ଆୟୁଶ କେତେଦିନ ରହିବ ତାହା ନିଶ୍ଚିତ ଆଶଙ୍କା ସୃଷ୍ଟି କରିବ। ହେଲେ ଦେବାଶିଷଙ୍କ ଏତେ ସପନକୁ ରାତି କାହିଁ ନ୍ୟାୟରେ ଏବେ ତାହା ଆକଳନ କରିବା ଭୁଲ। ଯେ ପର୍ଯ୍ୟନ୍ତ କୋର୍ଟ ରାୟ ନ ଆସିଛି ସେ ପର୍ଯ୍ୟନ୍ତ ଏପରି ଆକଳନ କରିବା ନିଶ୍ଚିତ ଭୁଲ ହେବ।

Share This Article