ଭାସୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଏକ ପୋଖରୀରୁ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ସଦର ପୋଲିସ ଏସ୍ ଡି ପି ଓ ଶୁଭ୍ରାଂଶୁ ପରିଡାଙ୍କ ନେତୃତ୍ୱରେ ସଦର ଥାନା ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ସାଇଣ୍ଟିଫିକ୍ ଟିମ୍ ସହ ମିଶି ତଦନ୍ତ ଆରମ୍ଭ କରିଛନ୍ତି। ଶବ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇ ମୃତ ଯୁବକଙ୍କ ବାପା ରାମକୃଷ୍ଣ ଚୌଧୁରୀ ଠାରୁ ଅଭିଯୋଗ ଗ୍ରହଣ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ମୃତ ଯୁବକ ଜଣକ ଲାଞ୍ଜିଆ ଗ୍ରାମର ସୁବାଶିସ୍ ଚୌଧୁରୀ। ଗତ ସୋମବାର ରାତିରେ କିଛି ସାଙ୍ଗ ସହିତ ମିଶି ବାହାରକୁ ଯାଇ ଘରକୁ ଆସିନଥିଲେ। ମଙ୍ଗଳବାର ସକାଳୁ ତାଙ୍କର ମୃତ ଦେହ ଉକ୍ତ ପୋଖରୀରେ ଭାସୁଥିବା ଗାଁ ଲୋକେ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଓ କିଛି ଗ୍ରାମବାସୀ ପୋଖରୀରୁ ଭାସୁଥିବା ଅବସ୍ଥାରେ ସୁଭାଶିଷଙ୍କ ମୃତ ଦେହ ଉଦ୍ଧାର କରି ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ହସ୍ତକ୍ଷେପ କରିଥିଲା।

ମୃତ ଯୁବକଙ୍କ ହାତ ଓ ବେକରେ ଦାଗ ଲାଗିଛି ଓ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଶବ ଉଦ୍ଧାର ହୋଇଥିବାରୁ ତାଙ୍କୁ ହତ୍ୟା କରି ଅଖାରେ ବାନ୍ଧି ପୋଖରୀରେ ଫୋପାଡି ଦିଆଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି।

Share This Article